ମିଶନ ଶକ୍ତିର ଗାଈ ଘୋଟାଲା: ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠlନ ଦାବି କଲା କଂଗ୍ରେସ

ଜଳେଶ୍ଵର,ତା ୬/୪: ଜଳେଶ୍ୱରର ଚମାର ଗ୍ରାମ ପଞ୍ଚାୟତରେ ଜୀବିକା ମିଶନରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଗାଈ ଘୋଟାଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତର ମହିଳା ସଶକ୍ତିକରଣକୁ ନେଇ ବର୍ଷିଛି କଂଗ୍ରେସ l ଜଳେଶ୍ୱର ବ୍ଲକ ଅଫିସ ସାମ୍ନାରେ ମହିଳାମାନଙ୍କୁ ପ୍ରଦାନ କରାଯାଇଥିବା ନିମ୍ନ ମାନର ଗାଈ ଗୁଡ଼ିକୁ ଆଣି ଗାଈ ବିକ୍ଷୋଭ କରାଯିବା ସହିତ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କାର ହିସାବ ମାଗିବା ସହିତ ଏହି ଦୁର୍ନୀତି ରେ ସଂପୃକ୍ତ ଅଫିସର ଓ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ l

କଂଗ୍ରେସର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଥିଲେ ଯେ, ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଣୀତ ହୋଇଥିଲା ଓ ଏହି ଯୋଜନାରେ ମହିଳା ମାନଙ୍କୁ ଗାଈ ଚାଷ କରିବା ପାଇଁ ଜୀବିକା ମିଶନ ମାଧ୍ୟମରେ ବ୍ୟବସ୍ଥା କରା ଯାଇଥିଲା l ପ୍ରକଳ୍ପ ର ଗାଇଡ ଲାଇନ ଅନୁସାରେ ମହିଳା ଗ୍ରୁପ ଗୁଡ଼ିକୁ ନେଇ କ୍ଳଷ୍ଟର ଗଠନ କରି ଗାଈ ଯୋଗାଇବା ଓ ମହିଳା ମାନଙ୍କୁ ଦୁଗ୍ଧ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ରଖା ଯାଇଥିଲା l କେତେ ଟଙ୍କାର ଗାଈ ଓ କେଉଁ ମାନ ଏବଂ ବୟସର ଗାଈ କିଣାଯାଇ ମହିଳାଙ୍କୁ ଦିଆଯିବ, ସେ ବିଷୟରେ ସେଥିରେ ଉଲ୍ଲେଖ ଅଛି l ମାତ୍ର ସେ ଗାଇଡ ଲାଇନ୍ କୁ ଅବଜ୍ଞା କରି ଜଳେଶ୍ଵରର ମିଶନ ଶକ୍ତି ଓ ଜୀବିକା ମିଶନର କର୍ମଚାରୀମାନେ ଏହି ପ୍ରକଳ୍ପରେ ବ୍ୟାପକ ହାରିଲୁଟ କରିଛନ୍ତି l ୩୦ ହଜାର ଟଙ୍କାରେ ଗାଈ କିଣିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଯେଉଁ ଗାଈ ଗୁଡ଼ିକ କିଣା ଯାଇଛି, ତାହାର ଦାମ କମ୍ ଓ ନିମ୍ନ ମାନର l ଦୁର୍ଭାଗ୍ୟର ବିଷୟ ଯେ ଏହି ପ୍ରକଳ୍ପକୁ ସଫଳ ରୂପାୟନ ପାଇଁ ବ୍ଲକ ମିଶନ ମେନେଜମେଣ୍ଟ ୟୁନିଟ ( ବିଏମଏମୟୁ) ଗଠିତ ହୋଇ ବିଡ଼ିଓ ଙ୍କ ଦ୍ଵାରା ଏହାର ତଦାରଖ ହେବା ଉଚିତ୍ ବୋଲି ଗାଇଡ ଲାଇନ ରେ କୁହାଯାଇଛି l ମାତ୍ର ଜଳେଶ୍ଵର ବିଡ଼ିଓ ଏଥିପ୍ରତି ଆଖି ବୁଜି ଦେଇଛନ୍ତି ଏବଂ ପରୋକ୍ଷରେ ଏଭଳି ଦୁର୍ନୀତି ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି l ଏହା ସହିତ ଏହାର ଭିଜିଲାନ୍ସ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l

ଆଜିର କାର୍ଯ୍ୟକ୍ରମ ରେ ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ହେମନ୍ତ ଗିରି, ପୂର୍ବତନ ସରପଂଚ ପଦ୍ମଲୋଚନ ବେହେରା, ବୁଦ୍ଦେଶ୍ୱର୍ ପ୍ରଧାନ, ନବୀନ ପରିଡ଼ା, ଅନ୍ନପୂର୍ଣ୍ଣା ଘୋଷ, ସୁଶୀଳା ପରିଡ଼ା, ରାହୁଲ ଗିରି, ନିତ୍ୟ ଗୋପାଳ କରଣ, ଦିପାନ ପାତ୍ର, କମଳା କାନ୍ତ ଗିରି, ତପନ ସାମଲ, ଅମର ଦେ, ଖଗେନ୍ଦ୍ର ସାମଲ, ତ୍ରିଲୋଚନ ଜେନା ପ୍ରମୁଖ ଯୋଗ ଦେଇଥିଲେ l

Related Posts