ବିଜେପିରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି

ଭୁବନେଶ୍ୱର,ତା ୬/୪(ସତ୍ୟପାଠ ବ୍ୟୁରୋ): ବିଜେପିରେ ଯୋଗଦେଲେ କଂଗ୍ରେସର ଭେଟେରାନ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି । ଗୁଜୁରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବିସି ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ସେ କଂଗ୍ରେସରେ ଥାଇ ମଧ୍ୟ ମୋଦିଙ୍କ ସମର୍ଥନରେ ବାହାରିଥିଲେ। ପରେ ଏହି ଘଟଣାକୁ ନେଇ କଂଗ୍ରେସ ସହ ମତଭେଦ ବଢିବା ପରେ ଶେଷରେ ଅନିଲ ଗତ ଜାନୁଆରୀ ମାସରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେବେଠୁ ଅନିଲ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା ଶେଷରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ବରିଷ୍ଠ ବିଜେପି ନେତା ଭି ମୁରଲୀଧରନ ଓ କେରଳ ବିଜେପିର ମୁଖ୍ୟ କେ ସୁରେନ୍ଦ୍ରନ ଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନି ବିଜେପିରେ ଯୋଗଦେଇଛନ୍ତି ।

ସେ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କହିଥିଲେ, “ମୋର ଓ ମୋ ପିତାଙ୍କ ମତ ଭିନ୍ନ । ମାତ୍ର ସର୍ବଦା ମୁଁ ତାଙ୍କୁ ସମ୍ମାନ କରିବି ଏବଂ ଆଗକୁ ମଧ୍ୟ ଏହା ଜାରି ରଖିବି । ଏଣୁ ଅସମ୍ମାନ କରିବାର ସ୍ପଷ୍ଟ ହିଁ ଉଠୁନାହିଁ।”

ସେପଟେ ପୁଅ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଏକେ ଆଣ୍ଟୋନି କହିଛନ୍ତି, “ମୋ ପୁଅର ନିଷ୍ପତ୍ତିରେ ମୁଁ ଦୁଃଖିତ । ଏହା ଏକ ଭୁଲ ନିଷ୍ପତ୍ତି । ଏକତା ଓ ଧାର୍ମିକ ସମନ୍ବୟ ହେଉଛି ଭାରତର ପରିଚୟ । ମାତ୍ର ୨୦୧୪ ପରେ ଯେବେଠୁ ମୋଦି ସରକାର ଶାସନ କ୍ଷମତାକୁ ହାତକୁ ନେଇଛନ୍ତି ସେ ବିବିଧତା ଆଣିବା ସହ ଧର୍ମନିରପେକ୍ଷତାକୁ ହ୍ରାସ କରୁଛନ୍ତି । ବିଜେପି ଆଗକୁ ଦେଶର ସାମ୍ବିଧାନିକ ମୂଲ୍ୟବୋଧକୁ ନଷ୍ଟ କରିଦେବ ।”

ସେପଟେ ବିଜେପିରେ ଯୋଗ ଦେବା ପରେ ଅନିଲ ଆଣ୍ଟୋନି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିପେ ନଡ୍ଡାଙ୍କ ନେତୃତ୍ବରେ କାମ କରୁଥିବା ସମସ୍ତ ବିଜେପି ନେତା, କର୍ମୀମାନଙ୍କୁ ଶୁଭେଚ୍ଛା । ଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଟି ବ୍ୟକ୍ତିବିଶେଷଙ୍କ ନିକଟରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇଛନ୍ତି ଏବଂ ଦେଶର ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ସେ କହିଛନ୍ତି।

Related Posts