ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୨ଟଙ୍କା ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ ।
ଗୁରୁବାର ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କର ଦୈନିକ ମଜୁରୀରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା(ଭିଡିଏ)ରେ ୧୨ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଭିଡିଏ ଯୋଗୁ ଅଣକୁଶଳୀଙ୍କ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୩୩୩ ଟଙ୍କାରୁ ୩୪୫ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୭୩ରୁ ୩୮୫ଟଙ୍କା, କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ପରିମାଣ ୪୨୩ରୁ ୪୩୫ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ପରିମାଣ ୪୮୩ରୁ ୪୯୫ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମଜୁରୀର ଫାଇଦା ହୋଟେଲ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ଆଦିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ । ତେବେ ରାଜ୍ୟ ସରକାର ଶେଷଥର ପାଇଁ ୨୦୨୨ ଅକ୍ଟୋବର ୧ତାରିଖରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିଥିଲେ ।
ସୂଚନାଯୋଗ୍ୟ ଯେ, ଶ୍ରମିକମାନଙ୍କ ସ୍ୱାର୍ଥରେ ପ୍ରତି ୬ମାସରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ସଂଶୋଧନ କରିଥାନ୍ତି ରାଜ୍ୟ ସରକାର। ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ପରାମର୍ଶରେ ରାଜ୍ୟ ସରକାର ଏହି ଦୈନିକ ସର୍ବନିମ୍ନ ମଜୁରୀ ପରିଣାମକୁ ବୃଦ୍ଧି କରିଛନ୍ତି।





