ଡାକ ଜମା ନାଁରେ ୧ କୋଟିରୁ ଅଧିକ ଠକେଇ ଅଭିଯୋଗ, ମହିଳାଙ୍କୁ ବାନ୍ଧିଲା ଲିଙ୍ଗରାଜ ଥାନା ପୋଲିସ

ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): ପୋଷ୍ଟାଲରେ ଟଙ୍କା ଡିପୋଜିଟ୍‌ ନାଁରେ ବଡ ଧରଣର ଠକେଇ । ୯୮ ଜଣଙ୍କୁ ୧ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ମହିଳାଙ୍କୁ ବାନ୍ଧିଛି ଲିଙ୍ଗରାଜ ଥାନା ପୋଲିସ । ମହିଳା ଜଣଙ୍କ ହେଉଛନ୍ତି ୫୦ ବର୍ଷୀୟ ସ୍ୱର୍ଣ୍ଣଲତା ଦାସ । ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳରେ । ସେ ଓଲଡ୍ ଟାଉନ୍‌ କେଦାର ଲେନ୍‌ ମେନ୍‌ରୋଡ୍‌ରେ ରହୁଥିଲେ ।

ପୋଲିସ ସ୍ୱର୍ଣ୍ଣଲତାଙ୍କ ଘରୁ ୧୨୭ଟି ପୋଷ୍ଟାଲ ସେଭିଙ୍ଗ୍‌ସ, ଆରଡି ଓ ଏଫ୍‌ଡି ପାସବୁକ୍‌ ଜବତ କରିଛି । ପୋଲିସ କହିବା ମୁତାବକ ସ୍ୱର୍ଣ୍ଣଲତା ନିଜକୁ ଜଣେ ପୋଷ୍ଟାଲ ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ଓଲଡ୍ ଟାଉନ୍‌ ରେ ଘର ଘର ବୁଲି ମହିଳାମାନଙ୍କୁ ପୋଷ୍ଟାଲରେ ଆକାଉଣ୍ଟ ଖୋଲିବାକୁ କହୁଥିଲେ । ତାଙ୍କ କଥାରେ ଲୋକମାନେ ଆକାଉଣ୍ଟ ଖୋଲି ଟଙ୍କା ଡିପୋଜିଟ୍‌ କରୁଥିଲେ ।

ସ୍ୱର୍ଣ୍ଣଲତା ନିଜେ ଟଙ୍କା ସଂଗ୍ରହ କରୁଥିଲେ ମଧ୍ୟ ଲୋକଙ୍କୁ ପାସବୁକ୍‌ ଦେଉ ନଥିଲେ । ପଚାରିଲେ ଗଡାଇ ଚାଲୁଥିଲେ ଦିନ । ଓଲଡ୍ ଟାଉନ୍‌ର ଜଣେ ମହିଳା ସ୍ୱର୍ଣ୍ଣଲତାଙ୍କୁ ବିଭିନ୍ନ କିସ୍ତିରେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ସ୍ୱର୍ଣ୍ଣଲତା ତାଙ୍କୁ ପାସ୍‌ବୁକ୍‌ ଦେଉ ନ ଥିଲେ । ୨ ବର୍ଷ ଧରି ତାଙ୍କୁ ସ୍ୱର୍ଣ୍ଣଲତା ଭୁଆଁ ବୁଲାଇ ଚାଲିଥିଲେ । ଶେଷରେ ମହିଳା ଜଣକ ଗତ ମାର୍ଚ୍ଚ ୧ରେ ସ୍ୱର୍ଣ୍ଣଲତାଙ୍କ ଘରକୁ ଯାଇ ପାସ୍‌ବୁକ୍‌ ମାଗିବାରୁ ସେ ତାଙ୍କୁ ଗାଳିଗୁଲଜ କରିଥିଲେ । ମହିଳା ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଠକାମିର ଶିକାର ମହିଳାଙ୍କ ପରି ଅନେକ ମହିଳା ସ୍ୱର୍ଣ୍ଣଲତାଙ୍କ ବିରୋଧରେ ଥାନାରେ ସମାନ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ସ୍ୱର୍ଣ୍ଣଲତାଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ତାଙ୍କ ଘରୁ ୯୮ ଜଣଙ୍କର ୧୨୭ଟି ପୋଷ୍ଟାଲ ପାସ୍‌ବୁକ୍‌ ଜବତ କରାଯାଇଥିଲା ।

ସ୍ୱର୍ଣ୍ଣଲତା ଲୋକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ପୁଲିସ କହିଛି । ଏ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ଶୁକ୍ରବାର ସ୍ୱର୍ଣ୍ଣଲତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସ୍ୱର୍ଣ୍ଣଲତାଙ୍କୁ ରିମାଣ୍ଡରେ ଅଣାଯାଇ ତାଙ୍କ ଠକେଇ ସଂପର୍କରେ ଅଧିକ ଖୋଳତାଡ଼ କରାଯିବ ବୋଲି ପୁଲିସ କହିଛି ।

Related Posts