କଂଗ୍ରେସ ଛାଡି ବିଜେପିରେ ମିଶିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ

ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି ଅନ୍ୟପଟେ ଜଣେ ପରେ ଜଣେ ନେତା ଦକ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ । ନୂଆଦିଲ୍ଲୀରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଯୋଗ ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ଦେବା ପରେ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି କିରଣ କୁମାର ରେଡ୍ଡୀ । କିରଣ କୁମାର ରେଡ୍ଡୀ ବିଜେପିରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୁଁ କେବେ ଭାବି ନଥିଲି କଂଗ୍ରେସ ଛାଡିବି । କଥାରେ ଅଛି ନା, ମୋ ରାଜା ଭାରି ଜ୍ଞାନୀ, ସେ ନିଜ କଥା ଭାବନ୍ତି ନାହିଁ । କାହା ପରାମର୍ଶ ଶୁଣନ୍ତି ନାହିଁ । କଂଗ୍ରେସରେ ରହି ଉପେକ୍ଷିତ ମନେ କରୁଥିଲି । ମୁଁ ଓ ମୋ ପରିବାର ୧୯୫୨ରୁ କଂଗ୍ରେସ ସହି ଜଡିତ । ୬୦ ବର୍ଷରୁ ଅଧିକ ସମୟ ହେବ କଂଗ୍ରେସ ସହ ସମ୍ପର୍କ ଥିଲା । ମୋତେ ଦଳ ଛାଡିବାକୁ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ପଦ ମିଳିଥିବା ମାତ୍ର ମୁଁ ଦଳ ଛାଡି ନଥିଲି ।

ସେ ଆହୁରି କହିଛନ୍ତି, କଂଗ୍ରେସ ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ପାଇଁ ସମସ୍ତ ରାଜ୍ୟରେ ଦଳର ପତନ ହୋଇଛି । ସେମାନେ ଲୋକଙ୍କ ସହ କଥା ହୁଅନ୍ତି ନିଅନ୍ତି ନାହିଁ ନେତାଙ୍କ ମତ ନିଅନ୍ତି ନାହିଁ । ଏହା କେବଳ ଗୋଟିଏ ରାଜ୍ୟ କଥା ନୁହେଁ ସମଗ୍ର ଦେଶର କଥା । ସେମାନେ କ୍ଷମତା ଚାହାନ୍ତି ମାତ୍ର ପରିଶ୍ରମ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିରଣ କୁମାର ରେଡ୍ଡୀ ୧୯୮୯ରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଭାୟଲପାଡୁରୁ କଂଗ୍ରେସ ଟିକେଟ ପାଇ ଜିତିଥିଲେ । ୨୦୧୦ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେପଟେ କିରଣ ରେଡ୍ଡୀଙ୍କୁ ବିଜେପିକୁ ସ୍ବାଗତ କରି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ”କିରଣ କୁମାର ରେଡ୍ଡୀ ଓ ତାଙ୍କ ପରିବାରର ଅନେକ ସଦସ୍ୟ କଂଗ୍ରେସରେ ଅଛନ୍ତି । କିଛି ଦିନ ତଳେ ମୁଁ ତାଙ୍କୁ ଭେଟିଥିଲି । ସେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅନୁପ୍ରାଣିତ ବୋଲି କହିଥିଲେ । ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଦୁର୍ନୀତି ବିରୋଧରେ ଆମ ଲଢେଇକୁ ସେ ଶକ୍ତି ପ୍ରଦାନ କରିବେ କାରଣ ବିଧାୟକ ଓ ମନ୍ତ୍ରୀ ଥିବା ସମୟରେ ତାଙ୍କର ସ୍ବଚ୍ଛ ପ୍ରତିମୂର୍ତ୍ତୀ ରହିଥିଲେ । ଏହା ଆନ୍ଧ୍ର ପ୍ରଦେଶ ବିଜେପି ପାଇଁ ବଡ ବୁଷ୍ଟ ହେବ।”

ପ୍ରକାଶଥାଉ କି, ଗତକାଲି (ଗୁରୁବାର) କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ବିଜେପିରେ ଯୋଗ ଦେଇଥିଲେ । ଗୁଜୁରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବିସି ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ସେ ଦଳ ଛାଡିଛନ୍ତି । ଆଉ ଆଜି ଆଉ ଜଣେ ନେତା କଂଗ୍ରେସ ଛାଡି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ତେବେ ବିଜେପିରେ ଯୋଗଦେବା ପରେ କିରଣ କୁମାର ରେଡ୍ଡୀଙ୍କୁ ରାଜ୍ୟ କିମ୍ବା ଜାତୀୟ ସ୍ତରରେ କୌଣସି ବଡ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Related Posts