ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ଏହି କ୍ରମରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ସମେତ ୪ ବ୍ଲକ୍ ପାଇଁ ଦଳର ୧୨ ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାର ଦାୟିତ୍ୱ ଏମାନେ ସମ୍ଭାଳିବେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଜଣାଇଛନ୍ତି ।
କିରମିରା ବ୍ଲକ୍ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଶ୍ରୀମତୀ ଟୁକୁନି ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ କୋଲାବିରା ବ୍ଲକ୍ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସରୋଜ ମେହେର, ଝାରସୁଗୁଡ଼ା ବ୍ଲକ୍ ପାଇଁ ବିଧାୟକ ପଦ୍ମନାଭ ବେହେରା ଏବଂ ଡ. ଅରୁଣ କୁମାର ସାହୁ, ଲାଇକେରା ବ୍ଲକ୍ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସେହିପରି ଝାରସୁଗୁଡ଼ା ମ୍ୟୁନିସିପାଲିଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଏବଂ ମନ୍ତ୍ରୀ ରୀତା ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି ।
ପୂର୍ବରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଉପନିର୍ବାଚନ ପରିଚାଳନାର ସାମଗ୍ରିକ ଦାୟିତ୍ୱ ଅର୍ପଣ କରାଯାଇସାରିଛି । ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆଜି ଝାରସୁଗଡ଼ାରେ ଏହି ତିନି ପର୍ଯ୍ୟବେକ୍ଷକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।
ବିଜେଡି ଯଥେଷ୍ଟ ଆଗରୁ ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ଝାରସୁଗୁଡ଼ାରେ ସମରସଜ୍ଜା ଆରମ୍ଭ କରିଦେଇଥିଲା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଏ ଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ କି ରଣନୀତି ପ୍ରସ୍ତୁତ ହୋଇନାହିଁ । ପିସିସି ପକ୍ଷରୁ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା ବେଳେ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଛକାପଂଝା ଚାଲିଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଏହି ଦୁଇ ଦଳର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍। ଆସନ୍ତା ଏପ୍ରିଲ୍ ୧୩ ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ମେ’ ୧୦ ରେ ଏଠାରେ ଭୋଟ ଗ୍ରହଣ ହେବ ।





