ବୀରାଙ୍ଗନା ପାଇଲଟ ପୋଷାକରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଲଢ଼ୁଆ ସୁଖୋଇ-୩୦ ଯୁଦ୍ଧ ବିମାନରେ କଲେ ଉଡ଼ାଣ

ଭୁବନେଶ୍ୱର,୮/୪(ସତ୍ୟପାଠ ବ୍ୟୁରୋ): ପାଇଲଟ ବେଶରେ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଶନିବାର ରାଷ୍ଟ୍ରପତି ମୁର୍ମୁ ନିଜର ପାରମ୍ପାରିକ ପୋଷାକ ଶାଢୀ ବଦଳରେ ବୀରାଙ୍ଗନା ଏୟାରଫୋର୍ସ ପାଇଲଟ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ଏହି ଦୃଶ୍ୟ ଥିଲା ଆସାମର ତେଜ ଏୟାରଫୋର୍ସ ଷ୍ଟେସନର। ଯେଉଁଠି ତିନି ସେନାର ସୁପ୍ରିମ​‌ କମାଣ୍ଡର ରାଷ୍ଟ୍ରପତି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-୩୦ରେ ଉଡାଣ କରିଥିଲେ।

ଉଡାଣ କରିବାର ଅଳ୍ପ ସମୟ ପରେ ରାଷ୍ଟ୍ରପତିଙ୍କ ସୁଖୋଇ ବିମାନ ତେଜପୁର ଷ୍ଟେସନ୍‌ରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିଛି। ଏହା ସହିତ ଯୁଦ୍ଧ ବିମାନରେ ଉଡାଣ କରିଥିବା ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ୨୦୦୯ ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରବେସ୍‌ରୁ ସୁଖୋଇ ଫାଇଟର ଜେଟ୍‌ରେ ଉଡାଣ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସୁଖୋଇ ଏମକେ-୩୦ ଆଇରୁ ଉଡାଣ ଭରିଥିଲେ। ଏହା ଦୁଇଟି ସିଟ୍‌ ବିଶିଷ୍ଟ ଯୁଦ୍ଧ ବିମାନ, ଯାହାକୁ ଋଷ ବିକଶିତ କରିଛି। ଭାରତର ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ ଲାଇସେନ୍ସ ଅନୁସାରେ ଏହାର ନିର୍ମାଣ କରିଛି।ସୁଖୋଇ-୩୦ ହେଉଛି ଭାରତୀୟ ବାୟୁସେନାର ବିଶିଷ୍ଟ ଯୁଦ୍ଧ ବିମାନ । ଏହା ଘଣ୍ଟାକୁ ୨ ହଜାର କିଲୋମିଟରରୁ ଅଧିକ ଗତି କରିପାରେ । ଏହାର କମ୍ବାଟ ରେଞ୍ଜ ହେଉଛି ୩ ହଜାର କିଲୋମିଟର । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ବ୍ରହ୍ମୋସ୍ ପରି ସୁପର ସୋନିକ କ୍ଷେପଣାସ୍ତ୍ର ମଧ୍ୟ ରହିଛି ।

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ତିନି ଦିନିଆ ଆସାମ ଗସ୍ତରେ ଅଛନ୍ତି। ୬ ଅପ୍ରେଲରେ ସେ ଆସାମ ପହଞ୍ଚିଥିଲେ। ପ୍ରଥମ ଦିନ ରାଷ୍ଟ୍ରପତି କାଜିରଙ୍ଗା ଜାତୀୟ ଉଦ୍ୟାନର ଉଦାଘାଟନ କରିଥିଲେ। ଏହାପରେ ୭ ଅପ୍ରେଲରେ ମାଉଣ୍ଟ କଞ୍ଚନଜଙ୍ଗା ଅଭିଯାନ-୨୦୨୩ କୁ ଗ୍ରୀନ୍ ସିଗନାଲ ଦେଇଥିଲେ। ଶୁକ୍ରବାର ଦୁଇ ଦିବସୀୟ ଗଜ ମହୋତ୍ସବର ଉଦ୍ଘାଟନ କରିଥିଲେ ଓ ଏହାପରେ ଗୌହାଟି ହାଇକୋର୍ଟର ୭୫ ତମ ବର୍ଷ ପୂରଣ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ।

Related Posts