ଡାକ ବିଭାଗରେ ନକଲି ସାର୍ଟିଫିକେଟରେ ଚାକିରି ପ୍ରସଙ୍ଗ: ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ଡାକ ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଏହି ନକଲି ସାର୍ଟିଫିକେଟ ମାମଲାରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ନେଇ ଏପର୍ଯ୍ୟନ୍ତ ୪୨ଟି ଘଟଣା ସାମ୍ନାକୁ ଆସିଥିବାରୁ ଭୁବନେଶ୍ୱର ଡାକ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି।

ସେପଟେ ୨୦୧୮ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏହାବ୍ୟତୀତ ଡାକ ବିଭାଗରେ ୧୯୮୨ଟି ପଦବୀ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ଏଯାଏଁ ପ୍ରାୟ ୪୨ଟି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଛି। ତେଣୁ ଆଗାମୀ ନିଯୁକ୍ତିବେଳକୁ ଏସ୍‌ଓପି ଜାରି କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଡାକ ବିଭାଗ ନିର୍ଦ୍ଦେଶକ।

ଅନ୍ୟପଟେ ନକଲି ସାର୍ଟିଫିକେଟ କାରବାରର କେନ୍ଦ୍ରସ୍ଥଳ ପାଲଟିଥିବା ବଲାଙ୍ଗିରରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହ ୪ ଅଭିଯୁକ୍ତଙ୍କୁ ଛାଡ଼ି ଆଉ ୭ ଜଣିଆ ସିଣ୍ଡିକେଟର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏହି ୭ ଜଣଙ୍କ ଭିତରେ ରହିଛନ୍ତି କିଛି ଦଲାଲ ଓ ସରକାରୀ କର୍ମଚାରୀ। ଯାହାଙ୍କୁ ଧରି ପଚରାଉଚରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ନକଲି ସାର୍ଟିଫିକେଟ ତିଆରି ହେଉଥିବା କୋଚିଂ ସେଣ୍ଟରରୁ ଜବତ ୪ କମ୍ପ୍ୟୁଟର, ୨ ଲାପଟପକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବକୁ ପଠାଇବାକୁ ବଲାଙ୍ଗି ଏସ୍‌ଡିଜେଲମ୍‌ କୋର୍ଟଙ୍କ ଅନୁମତି ପାଇଛି।

ସେପଟେ ସମ୍ବଲପୁର ଫେକ୍ ସାର୍ଟିଫିକେଟ୍ ମାମଲାରେ ମଧ୍ୟ ବଲାଙ୍ଗିର ଲିଙ୍କ ସାମ୍ନାକୁ ଆସିଛି। ସମ୍ବଲପୁରର ୬ ଜଣ ଭିତରୁ ୩ ଜଣଙ୍କର ବଲାଙ୍ଗିର ଲିଙ୍କ୍ ଥିବା ପ୍ରମାଣ ପାଇଛି ସମ୍ବଲପୁର ପୁଲିସ। ଯାହାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ, ଏହି ୬ ଜଣ ବରଗଡ, କଳାହାଣ୍ଡି, ଦେବଗଡ, ଭଦ୍ରକ ଓ ଜଗତସିଂପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଯେଉଁମାନେ ଉତ୍ତରପ୍ରଦେଶର ଏକ ଶିକ୍ଷାନୁଷ୍ଠାନରୁ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ମାଟ୍ରିକ ପାସ କରିଥିବା ଦର୍ଶାଇ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିଲେ। କିନ୍ତୁ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଇଂରାଜୀରେ ଲେଖିଥିବା ଅଣ୍ଡରଟେକିଂ ହିଁ ସବୁ ମିଛ ଧରାପକାଇ ଦେଇଥିଲା।

Related Posts