ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ବିଜେପି ସାଂସଦ ଜୁଏଲ ଓରାମ । ଯିଏ ଓଡ଼ିଆ କହି ଜାଣେନି, ସେ ଓଡ଼ିଆ ଅସ୍ମିତା କାର୍ଡ ଖେଳିବନି ତ ଆଉ କିଏ ଖେଳିବ ? କ୍ୟାବିନଟେରେ ଯାହା ନିଷ୍ପତି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? ଏଭଳି ଢଙ୍ଗରେ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ ।
ସୋମବାର ଜୁଏଲ କହିଛନ୍ତି, ଯିଏ ଓଡ଼ିଆ କହି ଜାଣେନି, ସେ ଓଡ଼ିଆ ଅସ୍ମିତା କାର୍ଡ ଖେଳିବନି ତ ଆଉ କିଏ ଖେଳିବ? ଯାହା କ୍ୟାବିନଟେରେ ନିଷ୍ପତି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ?” କ୍ୟାବିନେଟରେ ଯାହା ବିଲ୍ ପାସ ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ନା ନାହିଁ ଏବଂ ସମୀକ୍ଷା କରି ନିର୍ଣ୍ଣୟ ନେଉଛନ୍ତି କି ନାହିଁ ମୋତେ ଜଣା ପଡୁନାହିଁ । ରାଜ୍ୟରେ ଗୋଟିଏ ଖାମଖିଆଲ ସରକାର ଚଳାଇଛନ୍ତି। ଯେହେତୁ ବାର ବାର ନିର୍ବାଚନ ଜିତୁଛନ୍ତି ତାଙ୍କର ଅହଂକାର ବଢ଼ି ଯାଇଛି । ବିଭିନ୍ନ ଯୋଜନାରେ ଲୋକମାନେ କିଛି ପାଉନାହାନ୍ତି । ଯେମିତିକି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲୋକମାନେ ଚିକିତ୍ସା ପାଇପାରୁ ନାହାଁନ୍ତି । ଏମିତି ଅନେକ ଯୋଜନା ରାଜ୍ୟ ସରକାର କରୁଛନ୍ତି ହେଲେ ଏହା କେବଳ ଘୋଷଣା ସର୍ବସ୍ବ ହୋଇ ରହୁଛି । ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ବ୍ଲେଣ୍ଡିଂ କରିବାକୁ ଚେଷ୍ଟା କରୁଛନ୍ତି । ଏହା ତାଙ୍କର ପୁରୁଣା ଅଭ୍ୟାସ । ଏଥିରେ ଆଉ କିଛି କହିବା ଆବଶ୍ୟକ ନାହିଁ । ଏବେ କେବଳ ଘୋଷଣା କରିଛନ୍ତି ତାର ସାଧନ କଣ, ଅପରେସନାଲ ପାର୍ଟ କଣ କିଛି ଜଣାନାହିଁ । ତେଣୁ ଏ ବିଷୟରେ କହିବା ଉଚିତ ନୁହେଁ । ପ୍ରବାସୀ ଓଡ଼ିଆ କଣ ଲାଭବାନ ହେବେ ସେଇଟା ସମସ୍ତଙ୍କୁ ଜଣା ଅଛି ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ ।
ସେହିପରି ଜୁଏଲ କହିଛନ୍ତି, କରୋନା ସମୟରେ ସୁରଟରେ ଲୋକମାନେ କେମିତି ତ୍ରାହିତ୍ରାହି ହୋଇ କାନ୍ଦୁଥିଲେ ଏପର୍ଯ୍ୟନ୍ତ ମନରୁ ଲିଭିନାହିଁ । ଖାଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ କଣ ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ରୁ ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ରାଜ୍ୟ ସରକାର । ଯାହାକୁ ନେଇ ଏବେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି ।





