ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଆର୍‌ଏସ୍‌ଏସ୍ ରୁଟ୍‌ ମାର୍ଚ୍ଚକୁ ମିଳିଲା ଅନୁମତି

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା। ଆର୍‌ଏସ୍‌ଏସ୍‌ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କରିବା ସହିତ ମଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

ସୂଚନା ଅନୁସାରେ, ତାମିଲନାଡୁରେ ୪୭ ଟି ସ୍ଥାନରେ ଆର୍‌ଏସ୍‌ଏସ୍‌ ପଥ ଶୋଭାଯାତ୍ରା କରିବାକୁ ଚାହୁଁଥିଲା। ଏହାର ବିରୋଧରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନରେ ସରକାର ଦର୍ଶାଇଥିଲେ ଯେ ରାଜ୍ୟରେ ଏମିତି କିଛି ଜିଲ୍ଲା ଅଛି ଯେଉଁଠି ଆର୍‌ଏସ୍‌ଏସ୍‌ର ଶୋଭାଯାତ୍ରା କଲେ ବିପଦ ସୃଷ୍ଟି ହୋଇପାରେ। ଏଭଳି ଶୋଭାଯାତ୍ରାରେ ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ ହେବ। ତେଣୁ ରାଜ୍ୟ ସରକାର ରାସ୍ତାରେ ଶୋଭାଯାତ୍ରା ଅନୁମତି ନ ଦେଇ ବନ୍ଦ ପରିସରରେ ଶୋଭାଯାତ୍ରା କରିବାକୁ ଅନୁମତି ଦେବାକୁ ଚାହୁଁଥିଲେ ବୋଲି ସରକାର ଜଣାଇଥିଲେ।

ହେଲେ ଆର୍‌ଏସ୍‌ଏସ୍‌ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ କହି ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୋର୍ଟ ଏହାକୁ ଉଚିତ ବିରୋଧ ଗଣତନ୍ତ୍ରର ଏକ ଅଂଶ ବୋଲି କହି ରାଜ୍ୟ ସରକାରଙ୍କୁ ରାଲି କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ତାମିଲନାଡୁ ସରକାର।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ରାଲି କରିବାକୁ ଆର୍‌ଏସ୍‌ଏସ୍‌ ତାମିଲନାଡୁ ସରକାରଙ୍କ ଠାରୁ ଅନୁମତି ମାଗିଥିଲା। ୨୦୨୨ ଅକ୍ଟୋବର ୨ ତାରିଖରେ ସଂଘ ଏକ ରାଲି ବାହାର କରିବାକୁ ଘୋଷଣା କରିଥିଲା। କିନ୍ତୁ ତାମିଲନାଡୁ ସରକାର ଏହି ଶୋଭାଯାତ୍ରା ପାଇଁ ଅନୁମତି ଦେଇନଥିଲେ। ଏହାପରେ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଯାହା ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଆଜି ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Related Posts