ସି-ସୋର ଚିଟ୍‌ଫଣ୍ଡ ମାମଲା; ବର୍ଷକରେ ପ୍ରଭାତ ବିଶ୍ଵାଳଙ୍କ ମାମଲାର ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ସି-ସୋର ଚିଟ୍‌ଫଣ୍ଡ ମାମଲାରେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗର ଆଜି ହାଇକୋର୍ଟରେ ହୋଇଛି ଶୁଣାଣି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ପ୍ରଭାତ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପଟେ ବର୍ଷକ ମଧ୍ୟରେ ଏହି ମାମଲା ବିଚାର ସରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ସି-ସୋରର ପ୍ରଚାର କରିବାକୁ ତଥା ପ୍ରଭାତ ଏହି ସଂସ୍ଥା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଭାତ ଜମିନ୍ ପାଇଥିଲେ। ଏବେ ବି ଜାମିନ ରେ ଥିବା ପ୍ରଭାତ ମାମଲାର ବିଚାର ଦୀର୍ଘଦିନ ଚାଲିଥିବା ଦର୍ଶାଇ ମାମଲାରୁ ତାଙ୍କୁ ବାଦ୍ ଦେବାକୁ ହାଇକୋର୍ଟ ଯାଇଥିଲେ। ମାତ୍ର ହାଇକୋର୍ଟରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Related Posts