ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ପୁର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କର ପୂର୍ବ ଲୋକସଭା ଆସନ ଓ୍ବାୟନାଡ୍ ଗସ୍ତ କରିଛନ୍ତି । ୨୦୧୯ ମସିହାର ଏକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇବା ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ । ମଙ୍ଗଳବାର ଓ୍ବାୟନାଡ୍ରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରାଲି କରିବା ସହିତ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧି ।
ସେ କହିଛନ୍ତି, ‘ସାଂସଦ ପଦ ଏକ ଟ୍ୟାଗ୍, ଏହା କେବଳ ଏକ ପଦବୀ ମାତ୍ର । ବିଜେପି ଏହି ଟ୍ୟାଗ୍କୁ ଛଡେଇ ନେଇପାରେ । ଘର ବି ନେଇଯାଇପାରେ । ଏପରିକି ସେମାନେ ମୋତେ ଜେଲ୍ରେ ବି ଭର୍ତ୍ତି କରି ଦେଇପାରନ୍ତି । କିନ୍ତୁ ସେମାନେ ଓ୍ବାୟନାଡ୍ବାସୀଙ୍କ ପାଇଁ ପ୍ରତିନିଧିତ୍ବ କରିବାରୁ ମୋତେ ରୋକି ପାରିବେନି’।
ରାହୁଲ ଗାନ୍ଧି ଆହୁରି କହିଛନ୍ତି, ‘ମୁଁ କିଛି ବର୍ଷ ହେଲା ବିଜେପି ସହ ଲଢେଇ କରୁଛି । କିନ୍ତୁ ଆଶ୍ଚର୍ଯ୍ୟ କରୁଛି ଯେ, ଅନେକ ବର୍ଷ ଧରି ସେମାନେ ତାଙ୍କ ବିରୋଧୀଙ୍କୁ ବୁଝିବାରେ ଅକ୍ଷମ ହୋଇଛନ୍ତି । ବିଜେପି ବୁଝିପାରୁ ନାହିଁ ଯେ କେବେ ବି ଆମକୁ ଭୟଭୀତ କରିପାରିବେ ନାହିଁ । ସେମାନେ ମୋ ଘରକୁ ପୋଲିସ ପଠାଇ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଭାବୁଛନ୍ତି ମୋ ଘର ନେଇଗଲେ ମୁଁ ବିଚଳିତ ହୋଇଯିବି । କିନ୍ତୁ ସେଭଳି କିଛି ବି ହେବନି। ମୋ ଘର ୫୦ ଥର ନେଇଯାନ୍ତୁ ମୋତେ କିଛି ଫରକ ପଡିବନି । ମୁଁ ଦେଶର ସମସ୍ୟା ବାବଦରେ ପୂର୍ବରୁ କହୁଥିଲି ଆଗକୁ ବି କହିବି’।
କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସଂସଦରେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇଲି । ସେ କିଭଳି ବିଶ୍ବର ୨ୟ ଧନୀ ବ୍ୟକ୍ତି ହୋଇଗଲେ ତାହା ମୁଁ ସଂସଦରେ ପଚାରିଲି । କିନ୍ତୁ ପ୍ରଧାନମନ୍ତ୍ରୀ ଏହାର ଜବାବ ଦେଲେ ନାହିଁ। ବିଜେପି ଲୋକଙ୍କୁ ଭାଗଭାଗ କରେ, ଲୋକଙ୍କ ମଧ୍ୟରେ ବିବାଦ ଓ ଝଗଡା କରାଏ, ଧମକାଏ । କିନ୍ତୁ ମୁଁ ଲୋକଙ୍କୁ ଯୋଡିବା କାମ ଜାରି ରଖିବି । ମୁଁ ସବୁ ଧର୍ମ, ସମୁଦାୟ ଏବଂ ବିଚାରଧାରାକୁ ଏକାଠି ନେଇ ଚାଲିବି । ସେମାନେ ଯେତେ ବି ନିର୍ମମ ହୋଇଯାନ୍ତୁ ନା କାହିଁକି ମୁଁ କିନ୍ତୁ ତାଙ୍କ ପ୍ରତି ଦୟାଳୁ ହୋଇ ରହିବି’।





