ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ଭଟ୍ଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାଟି ଆଜି ସକାଳ ୪.୩୫ରେ ଘଟିଛି । ଘଟଣାସ୍ଥଳରେ କ୍ୱିକ ରିଆକ୍ସନ ଟିମ ପହଞ୍ଚି ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ଯାଞ୍ଚ କରୁଛି । ଏବେ ସର୍ଚ୍ଚ ଅପରେଶନ ଜାରି ରଖିଛି । ତେବେ ଭଟ୍ଟିଣ୍ଡା ମିଲିଟାରୀ ଷ୍ଟେସନ ଭିତରକୁ ପୋଲିସଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ।
ଏହି ଘଟଣା ଅଫିସର୍ସ ମେସ ଭିତରେ ଘଟିଥିବାବେଳେ ଏହା କୌଣସି ଆତଂକବାଦୀ ଆକ୍ରମଣ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଯେହେତୁ ଘଟଣା ପ୍ରତ୍ୟୁଷରୁ ଘଟିଛି ତେଣୁ ଅଫିସର୍ସଙ୍କ ମଧ୍ୟରେ କିଛି ଘଟଣାକୁ ନେଇ ବଚସା ଓ ପରେ ଏହା ଗୁଳିକାଣ୍ଡର ରୂପ ନେଇଥିବା କୁହାଯାଉଛି ।
ତେବେ ଭଟ୍ଟିଣ୍ଡା ମିଲିଟାରୀ ଷ୍ଟେସନ ସବୁଠାରୁ ପୁରୁଣା ଓ ଯଥେଷ୍ଟ ବଡ ମିଲିଟାରୀ ଷ୍ଟେସନ ଅଟେ । ପ୍ରଥମେ ଏହା ସହରଠାରୁ କିଛି ଦୂରରେ ଥିଲା । ହେଲେ ସହରର ଆୟତନ ବଢିବା ପରେ ସହରରୁ ମିଲିଟାରୀ ଷ୍ଟେସନର ଦୂରତା କମ ହୋଇଛି । ତେବେ ଗୁଳିକାଣ୍ଡ ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ କ୍ୱିକ ରିଆକ୍ସନ ଟିମ ତଦନ୍ତ ଆରମ୍ଭ କରିଛି।





