ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଜାରି ହେଲା ଏସ୍‌ଓପି; ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଶ୍ଚିମାଝଡ଼ର ପ୍ରଭାବ ଯାଇଛିକି ନାହିଁ ପ୍ରଚଣ୍ଡ ଖରାର ପ୍ରକୋପ ଆରମ୍ଭ ହୋଇଛି। ଟାଣ ଖରା ସାଙ୍ଗକୁ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜନତା। ଏଣୁ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ବେଳେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଜିଲ୍ଲାସ୍ତରରେ ଏହାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ବଢ଼ିବା ଆରମ୍ଭ ହୋଇଛି। ଜୁନ୍‌ ମାସ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିପାଇଁ ସତର୍କ ରହିବାକୁ ଏସ୍‌ଆର୍‌ସି କହିବା ସହ ଖରାଦିନ ପାଇଁ କଣ କରିବା ଦରକାର କଣ ନ କରିବା ଦରକାର ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି।

ସେହିପରି ଯେଉଁସବୁ ଗାଁ ଓ ଅଞ୍ଚଳରେ ପିଇବା ପାଣିର ଅସୁବିଧା ରହିଛି ସେଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ରାଜ୍ୟରେ ହିଟ୍ ୱେଭ୍ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ରାଜ୍ୟ ସରାକର ଘୋଷଣା କରିଛନ୍ତି। ସ୍କୁଲ୍‌ ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା, ଓଆର୍‌ଏସ୍‌ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବା, ସ୍କୁଲରେ ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରିବା, ଅଭିଭାବକମାନେ ପିଲାଙ୍କୁ ପାଣି ବୋତଲ ଦେଇ ସ୍କୁଲ ଛାଡ଼ିବା, କେବଳ ସକାଳ ସମୟରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସମସ୍ତ ପିଏଚ୍‌ସି, ସିଏଚ୍‌ସି, ସବ୍‌ଡିଭିଜନ, ଜିଲ୍ଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍, ଓଆର୍‌ଏସ୍‌ ରଖିବାକୁ କୁହାଯାଇଥିବା ବେଳେ ଅଂଶୁଘାତ ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଖରା ସମୟରେ ବାହାରକୁ ନଯିବା। ଅତି ଆବଶ୍ୟକ ପଡ଼ିଲେ ସତର୍କ ହୋଇ ବାହାରିବା। ସମସ୍ତ ଯାତ୍ରୀବାହୀ ବସ୍‌ରେ ପାଣି, ଓଆର୍‌ଏସ୍‌ ରଖିବା, ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକ ମାନେ କାମ କରିବାକୁ ମନା ହୋଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବା ସହ ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେ ତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ୱଅଧିକାରୀଙ୍କ ସହ ସିଡିଏମ୍‌ଓ/ଏସ୍‌ଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ।

ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତି ପୂରଣ ଦେବା ବ୍ୟବସ୍ଥା କରାଯିବ।ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଜିଲ୍ଲାସ୍ତରରେ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts