ଝାରସୁଗୁଡା ଉପନିର୍ବାଚନ: ୧୮ରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି

ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ଦିନ ପଖାଉଥିବା ବେଳେ ଏବେଠୁ ମଇଦାନ ଉଷ୍ମ ହେବାରେ ଲାଗିଲାଣି। ମେ ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ ହେବ। ଏହା ପୂର୍ବରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟର ୩ ପ୍ରମୁଖ ଦଳ। ଏହି କ୍ରମରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଏନେଇ ଆଜି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବୀ ମିଶ୍ର ।

ସେପଟେ କଂଗ୍ରେସ ନାମାଙ୍କନ ଭରିବା ନେଇ ମଧ୍ୟ ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି । ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି। ସେପଟେ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରି ଦଳ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପଦବୀ । ଏବେ ଉପ ନିର୍ବାଚନ ହେବା ପରେ ଝାରସୁଗୁଡା ବାସୀଙ୍କୁ ମିଳିବ ନୂଆ ବିଧାୟକ । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।

Related Posts