ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବଢୁଛି ତାତି, ଗୁଳୁଗୁଳି କାରଣରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଗରମର ପ୍ରଭାବ ବଢୁଥିବା ବେଳେ ରାଜ୍ୟରେ ଏବର୍ଷ ବିଜୁଳି କାଟ୍ କରାଯିବ କି ନାହିଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ। ମନ୍ତ୍ରୀ କହିଛନ୍ତି, ”ଏବର୍ଷ ରାଜ୍ୟରେ ପାୱାର କଟ୍ କରାଯିବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି । ଗଚ୍ଛିତ ବିଦ୍ୟୁତ ଆବଶ୍ୟକୀୟ ମୁତାବିକ ଯୋଗାଇ ଦିଆଯାଉଛି ।”
ରାଜ୍ୟରେ ଗରମ ବଢୁଥିବା ସମୟରେ କିଛି ସ୍ଥାନରୁ ବିଦ୍ୟୁତ କାଟିବାର ଅଭିଯୋଗ ଆସିଛି । ତେବେ ଏହି ବିଦ୍ୟୁତ କାଟ ଅଭଯୋଗକୁ ଖଣ୍ଡନ କରିବା ସହ ସିଧା ସଳଖ ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ଖରାଦିନେ ବିଦ୍ୟୁତ କାଟ ହେବନାହିଁ କି ରାଜ୍ୟ ସରକାରଙ୍କ ସେଭଳି କିଛି ଯୋଜନା ମଧ୍ୟ ନାହିଁ। କେଉଁଠି ବି ବିଜୁଳି କାଟ ହେଉନି କି ଆଗକୁ ହେବ ନାହିଁ । ଏହି ଅଭିଯୋଗକୁ କାଳ୍ପନିକ ସହ କେବଳ ଗଣମାଧ୍ୟମ ଏନେଇ ଆଶଙ୍କା ସୃଷ୍ଟି କରୁଛି ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଏଯାବତ ବିଜୁଳି କାଟ ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ବିଜୁଳି ଅଛି ଆଉ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନର ବିଜୁଳି କାଟ ର ଅର୍ଥ ନୁହେଁ ପାୱାର କଟ। ହୁଏତ କେଉଁଠି ଟ୍ରାନ୍ସଫର୍ମର ଖରାପ ହୋଇଥିବ ନ ହେଲେ କାଳ ବୈଶାଖୀରେ ତାର ଛିଡି ଥିବ ଏହାକୁ ମରାମତି କରିବା ପାଇଁ ବିଦ୍ୟୁତ କାଟ ହୋଇଥିବ କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କିଛି ଘୋଷଣା ହୋଇ ନାହିଁ। ଲଗାତାର ଭାବେ ରାଜ୍ୟରେ କେଉଁଠି ବି ପାୱାର କଟ ହେଉନି । ସହରାଞ୍ଚଳ କି ଗ୍ରାମାଞ୍ଚଳରେ ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ଯାଉଥିବ ନହେଲେ ଏଥର ବିଦ୍ୟୁତ କଟର ସେଭଳି କିଛି ଆଶଙ୍କା ନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।





