ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଝଟକା; ଜମି ଅଧିଗ୍ରହଣକୁ ବେଆଇନ କହିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ବିଜୟ ହୋଇଛି। ଜଗନ୍ନାଥଙ୍କ ଅମୃତ ମଣୋହି ସେହି ପବିତ୍ର ଜମିକୁ ବେଦାନ୍ତକୁ ବିକ୍ରି କରିଦେବା ପାଇଁ ଚାଲିଥିବା ଷଡଯନ୍ତ୍ର ଶେଷରେ ଫେଲ ମାରିଛି। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜମି ଅଧିଗ୍ରହଣର ନୋଡାଲ ଅଫିସର୍ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନର ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ସବୁ ଚେଷ୍ଟା ବିଫଳ ହୋଇଛି।

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ରାଜ୍ୟ ସରକାରଙ୍କୁ ବଡ ଝଟକା ଲାଗିଛି। ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଏଥସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହିତ ଯେଉଁ ଉପାୟରେ ଏହି ବିଶ୍ଵବିଦ୍ୟାଳୟ ପାଇଁ ୧୦ ହାଜର ଏକର ଜମି ଅଧିଗ୍ରହଣ ହୋଇଥିଲା ଏହାକୁ ବେଆଇନ ମଧ୍ୟ କୁହାଯାଇଛି। ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କେ ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ କରି ଏହି ରାୟ ପ୍ରକାଶ କରିଛନ୍ତି। ଏନେଇ ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ସୂଚନା ଦେଇଛନ୍ତି।

ତେବେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ନଭେମ୍ବର ୧୬ରେ ବେଆଇନ କହିଥିଲେ ହାଇକୋର୍ଟ। ଏଥିସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ରାଜ୍ୟ ସରକାର।

ସୁପ୍ରିମକୋର୍ଟ ୨୦୧୧ ଜାନୁଆରୀରେ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବାବେଳେ ସୁପ୍ରିମକୋର୍ଟର ସିନିଅର ଆଡଭୋକେଟ ସିଏ ସୁନ୍ଦରାମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ।

ସୂଚନାଯୋଗ୍ୟ ଯେ, ବେଦାନ୍ତ ବିଶ୍ବବିଦ୍ୟାଳୟ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ ଅଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟସରକାରଙ୍କ ସହିତ ଏମ୍‌ଓୟୁ କରିଛି। ଜମି ଅଧିଗ୍ରହଣ ବେଆଇନ ଭାବେ ହୋଇଥିବା ନେଇ ବହୁ ପ୍ରତିବାଦ ପରେ ମାମଲା ଲୋକପାଳଙ୍କ ପାଖକୁ ମଧ୍ୟ ଯାଇଥିଲା। ଏହା ପରଠାରୁ ମାମଲାଟି କୋର୍ଟରେ ବହୁବର୍ଷ ଧରି ବିଚାରାଧୀନ ରହିଥିଲା।

Related Posts