ଭୁବନେଶ୍ୱର,୧୩/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ୨୫୬୧ ମେଡିକାଲ ଅଫିସର ପଦ ଖାଲି ପଡ଼ିଛି। ରାଜ୍ୟରେ ମଞ୍ଜୁରିପ୍ରାପ୍ତ ମେଡିକାଲ ଅଫିସର ପଦ ୧୦୭୭୪ ହୋଇଥିବା ବେଳେ ଏବେ ୮୨୧୩ ଜଣ କାର୍ଯ୍ୟ କରୁଛନ୍ତି। ଖାଲି ପଡ଼ିଥିବା ବାକି ୨୫୬୧ ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ୨୦୨୨ ନଭେମ୍ବରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ଲେଖିଥିଲା। ୩୪୮୧ ମେଡିକାଲ ଅଫିସର ପଦରେ ନିଯୁକ୍ତି ପ୍ରସଂଗରେ ଓପିଏସସିକୁ ଚିଠି ଲେଖା ଯାଇଥିଲା। ଓପିଏସସି ଚୟନ ପରେ ୧୨୦୫ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସଂଗରେ ସୁପାରିସ କରିଛି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ହାଇକୋର୍ଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏସ.ପଣ୍ଡିତ ଦାଖଲ କରିଥିବା ସତ୍ୟପାଠରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସତ୍ୟପାଠରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ) ପାହ୍ୟାର ୫ ହଜାର ମେଡିକାଲ ଅଫିସର ପଦ ସୃ୍ଷ୍ଟି ପାଇଁ ସରକାରଙ୍କ ନିର୍ଦ୍ଦେଶ ମିଳିଛି। ନୂଆ କରି ଚୟନ କରାଯାଇଥିବା ମେଡିକାଲ ଅଫିସରଙ୍କ ପୋଷ୍ଟିଂ ପରେ ଏହି ୫ ହଜାର ପଦ ପୂରଣ ପ୍ରସଂଗରେ ଓପିଏସସିକୁ କୁହାଯିବ। ଅକ୍ଟୋବର ୨୩ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବା ପାଇଁ ଯୋଜନା ରହିଛି।
ସେହିଭଳି ଭାବେ ଓଡ଼ିଶା ମେଡିକାଲ ଏଜୁକେସନ ସର୍ଭିସେସ୍ (ଓଏମଇଏସ) କ୍ୟାଡରରେ ମଞ୍ଜୁରିପ୍ରାପ୍ତ ଫାକଲ୍ଟି ପଦ (ଆସିଷ୍ଟାଣ୍ଟ ପ୍ରଫେସର-୮୫୩, ଆସୋସିଏଟ ପ୍ରଫେସର-୪୪୫, ପ୍ରଫେସର-୨୭୩) ୧୫୭୧ ହୋଇଥିବା ବେଳେ ୧୨ଟି ସରକାରୀ ମେଡିକାଲ କଲେଜରେ ଏବେ ୧୨୩୨ ଜଣ ଅଛନ୍ତି। ଓଏମଇଏସ କ୍ୟାଡରରେ ସୁପର ସ୍ପେଶାଲିଟି ଡିସିପ୍ଲିନରେ ୧୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୨୦୨୧-୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରୀକ୍ଷା ଅନୁଷ୍ଠିତ ହୋଇସାରିଛି। ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଯୋଗୁଁ ଓପିଏସସି ତରଫରୁ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ସୁପାରିସ କରାଯାଇ ନାହିଁ। ସେହିଭଳି ଭାବେ ୯ଟି ସୁପର ସ୍ପେଶାଲିଟି ଡିସିପ୍ଲିନରେ ୯ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଓ ବ୍ରୋଡ ସ୍ପେଶାଲିଟି ଡିସିପ୍ଲିନରେ ୨୭୪ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଓପିଏସସି ତରଫରୁ ୨୦୨୨-୨୩ରେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଛି। ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ଓପିଏସସି ସୁପାରିସ ଆଧାରରେ ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଏହି ପଦରେ ଡାକ୍ତରଙ୍କୁ ଅବସ୍ଥାପିତ କରାଯିବ।
ରାଜ୍ୟରେ ୨୮୨୮୫ରୁ ୧୬୩୦୬ଟି ନର୍ସିଂ ଅଫିସର ପଦ ଖାଲି ପଡିଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ ୧୧୯୭୯ ନର୍ସିଂ ଅଫିସର କାର୍ଯ୍ୟ କରୁଛନ୍ତି। ଓଏସଏସଏସସି ପକ୍ଷରୁ ୭୪୮୩ ନର୍ସିଂ ଅଫିସର ପଦରେ ନିଯୁକ୍ତି ପାଇଁ ଗତ ମାର୍ଚ୍ଚ ୧୯ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚୂଡାନ୍ତ ପ୍ରାର୍ଥୀ ତାଲିକା ସୁପାରିସ ମିଳିବା ପରେ ନର୍ସିଂ ଅଫିସର ପଦରେ ନିଯୁକ୍ତି ଦିଆଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନକାରୀ ଏହି ସତ୍ୟପାଠ ଉପରେ ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।





