ଉପନିର୍ବାଚନ କାହିଁକି ହେଉଛି ?, ତାହା ହିଁ ଝାରସୁଗୁଡାରେ ମୁଖ୍ୟ ପ୍ରସଙ୍ଗ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୩/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡାରେ ଉପନିର୍ବାଚନ କାହିଁକି ହେଉଛି ? ତାହା ହିଁ ଝାରସୁଗୁଡାରେ ମୁଖ୍ୟ ପ୍ରସଙ୍ଗ ହେବ। ଆଜି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରି କହିଛନ୍ତି ଯେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା ସେଥିପାଇଁ ଗୋଟେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇ ଉପ ନିର୍ବାଚନ ହେଉଛି। ଏହାର କିଛି ମାସ ପରେ ସେହି ଅଞ୍ଚଳରୁ ଗୋଟିଏ ଛୋଟ ଛୁଆକୁ ବି ଅପହରଣ କରି ହତ୍ୟା କରାଗଲା । ତାହା ମଧ୍ୟ ପ୍ରସଙ୍ଗ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି। ଗତକାଲି ସମ୍ବଲପୁର ଘଟଣା ତାର ସଦ୍ୟ ନମୁନା । ଝାରସୁଗୁଡା ପଡୋଶୀ ସହର ସମ୍ବଲପୁର ଅନ୍ୟତମ ସାଂସ୍କୃତିକ କେନ୍ଦ୍ର। ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ହନୁମାନ ଜୟନ୍ତୀ ସେଠି ପାଳନ ହୁଏ। କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଆୟୋଜକ। ପୋଲିସ କର୍ମଚାରୀମାନେ ଲହୁ ଲୁହାଣ ହୋଇଛନ୍ତି। ଏସବୁ ପ୍ରମାଣିତ କରୁଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଣ ?

ଧର୍ମେନ୍ଦ୍ର ଆହୁରି କହିଛନ୍ତି ରାଜ୍ୟ ସରକାରଙ୍କ ଅପାରଗତା ରହିଛି। ସେମାନେ ଶାସନ ଚଳାଇ ପାରୁନାହାଁନ୍ତି। ରାଜ୍ଯରେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେବା ସେହି ସହରର ଜଣେ ନାବାଳକର ହତ୍ୟା ହେବା, ଏବଂ ତା ବାପାର ଆକୁଳ ନିବେଦନ ଅଡିଓ ଭାଇରାଲ ହେଉଛି। ମୋର ବନ୍ଧୁ ଦାମୋଦର କରଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ସମ୍ବଲପୁର ସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଅପରାଗତା ଦାୟୀ । ଶାନ୍ତି ବଜାୟ ରଖିବା ପାଇଁ ମୁଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସେଠି ପୋଲିସ ନିଜେ କ୍ଷତିଗ୍ରସ୍ତ ହୋଇଛି। ଏହା ଆଜି ଓଡ଼ିଶାର ମୂଳ ପ୍ରସଙ୍ଗ ହୋଇଛି। ଗରିବ ଲୋକର ହିତ, ସ୍ଵାର୍ଥ ଆଜି ଓଡିଶାରେ ବୁଝାମଣା ହେଉଛି। ପଛୁଆବର୍ଗ ହେଉ, ଆଦିବାସୀ ହେଉ ସବୁ କ୍ଷତିରେ ଅଛନ୍ତି। ଏହିସବୁ ଗୁଡିକ ନିର୍ବାଚନରେ ପ୍ରସଙ୍ଗ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି ବିଜେପି ପ୍ରାର୍ଥୀଙ୍କୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ସେ ଦଳର ଜଣେ ଭଲ ସଂଗଠକ। ଦଳ ଜଣେ ଯୁବ ସଂଗଠକ ଲଢୁଆ ନେତାଙ୍କୁ ପ୍ରାର୍ଥୀ କରିଛି । ତିନି ଦଳ ଯୁବ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ଏହା ଏକ ଶୁଭ ଲକ୍ଷଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Related Posts