ଭୁବନେଶ୍ୱର,୧୩/୪(ସତ୍ୟପାଠ ବ୍ୟୁରୋ): ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମ ନେଇଥିଲା ରାଜଧାନୀ ଭୁବନେଶ୍ବର। ଏହାରି ଭିତରେ ବିତି ଯାଇଛି ୭୫ ବର୍ଷ।ଆଜି ୭୫ତମ ପ୍ରତିଷ୍ଠା ଦିବସ ପାଳିଛି ଭୁବନେଶ୍ବର । ଏନେଇ ମହାନଗର ନିଗମ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଯେଉଁଠାରେ ମେୟରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିଲେ । ହେଲେ ଏଥିରୁ ବାଦ ପଡ଼ିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ସେଥିପାଇଁ ସାଂସଦ ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ମଧ୍ୟ ଲେଖିଥିଲେ। ହେଲେ ଏବର୍ଷ ମଧ୍ୟ ସମାନ ଅବସ୍ଥା। ତେବେ ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।
ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି। ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି। ଏହା ସାମ୍ବିଧାନିକ ପଦବୀର ଅପମାନ ହୋଇଛି। ଏହା ରାଜ୍ୟ ସରକାରଙ୍କ ସଂସ୍କାର ଓ ଚରିତ୍ରକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଅହଂକାରର ସ୍ତରକୁ ଦର୍ଶାଉଛି। ମୁଁ ଭୁବନେଶ୍ୱରର ନିର୍ବାଚିତ ସାଂସଦ,କହିବା କଥା ନୁହେଁ କିନ୍ତୁ କହିବାକୁ ପଡୁଛି । ଯେଉଁ ଲୋକମାନେ ମତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ରାଜ୍ୟ ସରକାର ସେମାନଙ୍କୁ ଅପମାନିତ କରିଛନ୍ତି ।
ଏହା ରାଜ୍ୟ ସରକାର ବୁଝିବା କଥା । ଏହା ବାରମ୍ବାର ହୋଇଛି, ଗଲା ଥର ମଧ୍ୟ ହୋଇଥିଲା, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି ଯେ ରାଜଧାନୀବାସୀଙ୍କ ସ୍ନେହ ଶ୍ରଦ୍ଧା ମୋ ପାଖରେ ରହିଛି, ଏହା ସମସ୍ତଙ୍କର ଅପମାନ । ଏହା ରାଜ୍ୟ ସରକାରଙ୍କ ସଂସ୍କାର, ସେ ସମୀକ୍ଷା କରନ୍ତୁ । ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି । ସରକାର ମନେ ରଖନ୍ତୁ, ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି, ସାମ୍ବିଧାନିକ ପଦବୀର ଅପମାନ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି, ମୋର କଣ ଦୋଷ ମୋତେ ପ୍ରତିଷ୍ଠା ଦିବସରେ ନ ଡାକିବା। ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହଁ ବୋଲି ଅପରାଜିତା କହିଛନ୍ତି।
ପ୍ରକାଶଥାଉକି, ଆଜିକୁ ଠିକ 75 ବର୍ଷ ତଳେ ଜନ୍ମ ହୋଇଥିଲା ସ୍ବପ୍ନର ସହର ଭୁବନେଶ୍ବର । ପୁରୁଣା ଭୁବନେଶ୍ବର, କପିଳ ପ୍ରସାଦ, କପିଳେଶ୍ବର ଓ ସାମନ୍ତରାପୁର ଭଳି ଅଳ୍ପ ଅଞ୍ଚଳକୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର । ପରେ ପରେ ନୂଆ ଅଞ୍ଚଳ ମିଶିବା ସହ ସହର ବଢି ଚାଲିଥିଲା । ଆଜି 75ରେ ପାଦ ଥାପିଛି ଭୁବନେଶ୍ବର ।





