ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ନିୟମିତ ହେବେ ରାଜ୍ୟର ଚୁକ୍ତିଭିତ୍ତିକ ଶିକ୍ଷକ। ନିୟମିତ ଦାବି ନେଇ ଗତ ୧୩ ଦିନ ଧରି ଆନ୍ଦୋଳନରେ ବସିବା ପରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବି ମାନିଛନ୍ତି ସରକାର । ବହୁ ବିଚାର ବିମର୍ଶ ପରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହେବାର ୫ ମାସ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଦ୍ବାରା ରାଜ୍ୟର ୧୮ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ ଶିକ୍ଷକ ଉପକୃତ ହେବେ।
ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହେବାର ୫ ମାସ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମିତ ଦାବିରେ ଗତ ୧୩ ଦିନ ହେବ ରାଜଧାନୀରେ ଚୁକ୍ତିଭିତ୍ତିକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଆନ୍ଦୋଳନ କରୁଥିଲେ। ବିଜ୍ଞପ୍ତି ପ୍ରକାଶ ଜିଦରେ ଶିକ୍ଷକମାନେ ଅଡି ବସିଥିଲେ। ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଜନ୍ମ ଦିବସରେ ଓଡ଼ିଶାରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ନେଇ ଘୋଷଣା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ନିୟମିତ ହୋଇଥିଲେ। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନଥିଲା।





