ଶ୍ରମ ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡି ନେତ୍ରୀ

ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଶ୍ରମ ମନ୍ତ୍ରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ। ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶାସକ ବିଜେଡ଼ିର ଜଣେ ନେତ୍ରୀ। ଏହାକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ସୂଚନା ମୁତାବକ, ଅଭିଯୋଗ ଆଣିଥିବା ମହିଳା ଜଣକ ଶାସକ ଦଳରେ ଦବ୍‌ଦବା ରହିଛି। ତେବେ ଗତ କିଛିଦିନ ତଳେ ମହିଳା ଜଣକ ମନ୍ତ୍ରୀଙ୍କ ବିରୋଧରେ ସମାନ ଦୁଷ୍କର୍ମ ଅଭିଯୋଗ ପାଇଁ ବାହାରିଥିଲେ। ହେଲେ ସେ ସମୟରେ ଘଟଣାକୁ ଚପାଇ ଦିଆଯାଇଥିଲା। ତେବେ ଗୁରୁବାର ସକାଳ ସାଢ଼େ ୧୦ଟା ସମୟରେ ମହିଳା ଜଣଙ୍କ ମହିଳା ଥାନାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଶୁଣି ପୁଲିସ ଉପରେ ଚାପ ବଢ଼ିଯାଇଥିଲା। ପ୍ରକୃତରେ ଘଟଣା କ’ଣ? ଏହା ପଛରେ କେତେ ସତ୍ୟତା ଅଛି? ବାସ୍ତବ ଘଟଣା ଜାଣିବା ପାଇଁ ମହିଳାଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଦିନ ୧୧ଟାରୁ ଅପରାହ୍ନ ୫ଟା ଯାଏ ୬ଘଣ୍ଟା ଧରି ପୁଲିସ ଓ ମହିଳାଙ୍କ ମଧ୍ୟରେ ରୁଦ୍ଧଦ୍ବାର ଆଲୋଚନା ହୋଇଥିଲା। ‌ଶେଷରେ ଅପରାହ୍ନ ୫ଟାରେ ପୁଲିସ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ସେଠାରେ ଡାକ୍ତରୀ ମାଇନା ପରେ ରାତି ପାଖାପାଖି ୯ଟା ସମୟରେ ମହିଳା ଜଣଙ୍କ ଥାନାକୁ ପହଞ୍ଚିଥିଲେ।

ଏନେଇ ଖବରପାଇ ଗଣମାଧ୍ୟମ ପ୍ରତିନିଧି ମହିଳାଙ୍କୁ ପ୍ରଶ୍ନ କରିବାରୁ ମହିଳା କହିଥିଲେ, ମୁଁ ମାନସିକ ଚାପରେ ଅଛି। ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି। ମୁଁ ଥାନାରେ ଏଫ୍‌ଆଇଆର୍‌ କରିଛି। ପୁଲିସ ଉପରେ ଭରସା ଅଛି। ନିଶ୍ଚିତ ନ୍ୟାୟ ପାଇବି ବୋଲି ସେ କହିଥିଲେ। ପରେ ସେ ‌ଥାନା ଭିତରକୁ ଚାଲିଯାଇଥିଲେ। ତ‌େବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଥାନାରେ ପଚରା ଉଚରା କରିଥିଲା।

Related Posts