ରେକର୍ଡ ସୃଷ୍ଟି କଲା ଓଡ଼ିଶା; ଗତକାଲି ବାରିପଦା ଥିଲା ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଗୁରୁବାର ରାଜ୍ୟର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଲୋକେ ତାତିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥା ଏଲଡେରାଡୋ ପକ୍ଷରୁ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଏଲଡେରାଡୋ ଅନୁଯାୟୀ ଗତକାଲି ଅର୍ଥାତ୍ ଗୁରୁବାର ବାରିପଦା ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ଥିଲା। ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ୪୩.୨ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ବିଶ୍ବରେ ଦ୍ବିତୀୟ ଥିଲା। ସେହିପରି ସେନେଗାଲ ଦେଶର କୋଲଦା ୪୩ ଡିଗ୍ରୀ ସହ ତୃତୀୟ ସ୍ଥାନରେ ଥିଲା। ୪୨.୫ ସହ ଅନୁଗୁଳ ବିଶ୍ବରେ ଷଷ୍ଠ, ଟିଟିଲାଗଡ଼ (୪୨.୨) ୧୧ ସ୍ଥାନରେ ଥିଲା। ଅନ୍ୟପଟେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୪୦.୮ ଓ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ଆସନ୍ତା ଦୁଇ ଦିନ ମଧ୍ୟରେ ତିନିରୁ ପାଞ୍ଚ ଡିଗ୍ରୀ ଯାଏ ବଢ଼ିବ। ତା’ପରଦିନ ୫ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ ଏପ୍ରିଲ୍ ୧୫ରେ ୮ଟି ଜିଲ୍ଲା ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related Posts