ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ଆଜି ଛୁଟିଦିନ ଥିବା ବେଳେ କାର୍ଯ୍ୟାଳୟ ଭିତରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ଡାକ ବିଭାଗର ସହକାରୀ ଯନ୍ତ୍ରୀ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ।
ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ ଜଣେ ଠିକାଦାରଙ୍କ ବିଲ୍ ପାସ କରିବା ପାଇଁ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ହୋଇଥିବା ମୁଲଚାଲ ହିସାବରେ ଠିକାଦାର ଆଜି ଶ୍ରୀ ପାଲଙ୍କୁ କାର୍ଯ୍ୟାଳୟରେ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଏହା ପୂର୍ବରୁ ସେ ଶ୍ରୀ ପାଲଙ୍କୁ ଧରା ପକାଇବା ପାଇଁ ଭୁବନେଶ୍ବରସ୍ଥିତ ସିବିଆଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁସାରେ ଅଭିଯୋଗକାରୀ ଆଜି ସମ୍ବଲପୁର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ପାଲଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ୭ଜଣିଆ ସିବିଆଇ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀ ପାଲଙ୍କ ଠାରୁ ଟିମ୍ ୧ ଲକ୍ଷ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ। ସିବିଆଇ ଟିମ୍ ଏହି ଘଟଣାରେ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ଉଠାଇ ନେଇଥିବା ଜଣାପଡ଼ିଛି। ମଧ୍ୟସ୍ଥିଙ୍କ ନାମ ଦେବେନ୍ଦ୍ର ପୁହାଣ ବୋଲି ସୂଚନା ମିଳିଛି।





