ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କଲା ସିବିଆଇ

ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇର ସମନ । ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଛି। ପଚରାଉଚରା ପାଇଁ ଆସନ୍ତା ୧୬ ତାରିଖରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ ହୋଇଛି। ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବା ବେଳେ ଏବେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଛି ସିବିଆଇ। ସମନ ପଠାଇ କେଜ୍ରିୱାଲଙ୍କୁ ରବିବାର କାର୍ଯ୍ୟାଳୟରେ ହାଜର ହେବାକୁ କହିଛି ସିବିଆଇ।

ସୂଚନାଯୋଗ୍ୟ ଯେ, ସମାନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଜେଲ ରେ ଅଛନ୍ତି। ଗତ ଫେବୃୟାରୀ ୨୬ ତାରିଖରେ ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ଜେଲରେ ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନୀଷ ସିସୋଦିଆଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ପରେ ଇଡି ମନୀଷ ସିସୋଦିଆଙ୍କୁ ଜେଲରୁ ଗିରଫ କରିଥିଲା। ଏହା ପରେ ମନୀଷ ସିସୋଦିଆ ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରି ଏହି ମାମଲାରେ ଜାମିନ ମାଗିଥିଲେ। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ତେଣୁ ଏବେ ମନୀଷଙ୍କୁ ଜେଲରେ ରହିବାକୁ ପଡ଼ୁଛି। ଅନ୍ୟପକ୍ଷରେ ମନୀଷଙ୍କୁ ସମର୍ଥନ କରି ସେ ନିର୍ଦ୍ଦୋଶ ବୋଲି କହି ଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ନିଜେ ଏହି ମାମଲାରେ ଫସୁଥିବାର ଦେଖାଯାଇଛି।

Related Posts