ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ମୋଦୀ ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହେବାପରେ ସେ ତାଙ୍କର ସାଂସଦ ପଦ ହରାଇ ବସିଥିଲେ। ଏହାସହିତ ତାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍ ଜାରି ହୋଇଥିଲା । ଏହାପରେ ଏବେ ରାହୁଲ ଗାନ୍ଧୀ ରହୁଥବା ଦିଲ୍ଲୀର ୧୦ ତୁଗଲକ୍ ଲେନରେ ଅବସ୍ଥିତ ସରକାରୀ ବଙ୍ଗଳା ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତାଙ୍କ ଆସବାବ ପତ୍ର ସବୁ ସେ ମା ସୋନିଆ ଗାନ୍ଧୀଙ୍କ ୧୦ ଜନପାଥ ସ୍ଥିତ ସରକାରୀ ବଙ୍ଗଳା ସ୍ଥାନାନ୍ତର କରୁଛନ୍ତି । ରାହୁଲ ଖୁବଶୀଘ୍ର ଏଠାରେ ରହିବା ଆରମ୍ଭ କରିବେ ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ରେ, ସୁରଟ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ତାଙ୍କୁ ଅଳ୍ପ ସମୟ ମଧ୍ୟରେ ଜାମିନ ମଧ୍ୟ ଦିଆଯାଇଥିଲା । ରାହୁଲ କେରଳର ୱାୟାନାଡର ଲୋକସଭା ସାଂସଦ ଥିଲେ । ମାନହାନି ମାମଲାରେ ଦଣ୍ଡ ଘୋଷଣା ହେବାର ପରଦିନ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ବାତିଲ କରାଯାଇଥିଲା । ଏହାପରେ ମାର୍ଚ୍ଚ ୨୭ ରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ ମଧ୍ୟ ଦିଆଯାଇଥିଲା । ଏହି ବିଜ୍ଞପ୍ତି ପାଇବା ପରେ ରାହୁଲ ମଧ୍ୟ ସରକାରୀ ବଙ୍ଗଳା ଛାଡ଼ିବାକୁ ରାଜି ହୋଇଥିଲେ। ଏହା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ନିଜ ଘରକୁ କିମ୍ବା ସୋନିଆଙ୍କ ବଙ୍ଗଳାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ସମୟ ଦେଇଥିଲା । ନୋଟିସ ମିଳିବାର ପରଦିନ ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀ ଡକ୍ଟର ମୋହିତ ରଂଜନଙ୍କୁ ଏକ ଲିଖିତ ଉତ୍ତର ପଠାଇଥିଲେ । ଯେଉଁଥିରେ ସେ କହିଥିଲେ ଯେ ସେ ବଙ୍ଗଳା ଖାଲି କରିବେ ।
ରାହୁଲ ଗାନ୍ଧୀ ଲୋକସଭା ସଚିବଙ୍କୁ ଦେଇଥିବା ଉତ୍ତରରେ ଲେଖିଥିଲେ ଯେ, ମୁଁ ୪ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛି । ଏହା ହେଉଛି ଲୋକମାନଙ୍କର ଜନାଦେଶ, ଯାହା ପାଇଁ ମୁଁ କୃତଜ୍ଞ । ଏହି ଘର ସହିତ ମୋର ଅନେକ ଭଲ ସ୍ମୃତି ଯୋଡି ହୋଇଛି । ନୋଟିସରେ ଦିଆଯାଇଥିବା ଆଦେଶକୁ ମୁଁ ପାଳନ କରିବି।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ୨୦୧୩ ନିଷ୍ପତ୍ତି ଅନୁସାରେ ଯଦି କୌଣସି ସାଂସଦ କିମ୍ବା ବିଧାୟକ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସଂସଦ କିମ୍ବା ବିଧାନସଭା ସଦସ୍ୟତା ପାଇଁ ଅଯୋଗ୍ୟ କରାଯିବ । ଏହି ନିୟମ ଅନୁଯାୟୀ ରାହୁଲଙ୍କ ସଂସଦ ସଦସ୍ୟତା ବାତିଲ କରାଯାଇଛି । ସଦସ୍ୟତା ବାତିଲ ହେବାପରେ ରାହୁଲ ନିଜ ସରକାରୀ ବଙ୍ଗଳାରେ ରହିବାର ଅଧିକାର ମଧ୍ୟ ହରାଇଛନ୍ତି। ତେବେ ୨୦୦୪ରେ ଉତ୍ତରପ୍ରଦେଶର ଆମେଥୀରୁ ସାଂସଦ ଭାବରେ ନିର୍ବାଚିତ ହେବାପରେ ୨୦୦୫ ରେ ରାହୁଲଙ୍କୁ ଏହି ବଙ୍ଗଳା ଆବଣ୍ଟନ କରାଯାଇଥିଲା।





