ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି ।ସମ୍ବଲପୁର ଟାଉନ୍ ଥାନା, ଧନୁପାଲି, ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର ଓ ସଦର ଥାନା ଅଞ୍ଚଳରେ ଲାଗିଛି କଡ଼ା କଟକଣା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପଦକ୍ଷେପ ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲାଗିଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟାରୁ ୧୦ଟା ଓ ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୫ଟା ଭିତରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଜରୁରୀ ମେଡିକାଲ୍ ସେବା ପାଇଁ ହେଲ୍ପଲାଇନ୍ ନମ୍ବର ୭୬୫୫୮୦୦୭୬୦ ଜାରି ହୋଇଛି । ଏହାସହିତ କେହି ଆଇନଶୃଙ୍ଖଳା ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ପାଇଁ ଏକ ବାଇକ୍ ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ଜିଲ୍ଲା ସ୍କୁଲ୍ ଛକ ଓ ପେନ୍ସନ୍ପଡ଼ାରେ ଶୋଭାଯାତ୍ରା ଉପରେ ପଥର ମାଡ଼ କରାଯାଇଥିଲା। ଫଳରେ ପେନ୍ସନ୍ପଡ଼ାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ହେଲେ କୌଣସି ଅଘଟଣ ପୂର୍ବରୁ ପୁଲିସ୍ ଓ ଆୟୋଜକମାନେ ସ୍ଥିତି ସମ୍ଭାଳି ନେଇଥିଲେ। ଅପରପକ୍ଷରେ ଶୋଭାଯାତ୍ରା ଚାଲିଥିବା ବେଳେ ପୁଲିସ୍ ଜଣେ ଯୁବକକୁ ଉଠାଇ ନେବାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ହାଇଦର ହୋଟେଲ୍ ସାମ୍ନାରେ ଶୋଭାଯାତ୍ରାରେ ଥିବା ଯୁବକମାନେ ପୁଲିସ୍ ଭ୍ୟାନ୍କୁ ଘେରି ଯାଇଥିଲେ। ପ୍ରାୟ ୧୫ ମିନିଟ୍ ପାଇଁ ଏଭଳି ସ୍ଥିତି ଲାଗି ରହିଥିଲା। ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଛାଡ଼ି ଦେବାପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଏଥିସହ ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।





