କୋର୍ଟରେ ମିଥ୍ୟା ପ୍ରମାଣ ଓ ସତ୍ୟପାଠ ଦେଇଥିବାରୁ ଇଡି ଓ ସିବିଆଇ ଅଧିକାରୀଙ୍କ ବିରୋଧରେ କେସ୍ କରିବୁ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତକାଲି ସମନ ଜାରି କରିଛି ସିବିଆଇ। ତାଙ୍କୁ ଏପ୍ରିଲ ୧୬ ଦିନ ୧୧ଟା ବେଳେ ହାଜର ହେବାକୁ କୁହାଯାଇଛି। ଏହି ମାମଲାର ଜଣେ ସାକ୍ଷୀ ଭାବେ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପାଇଁ ଡାକିଛି ସିବିଆଇ। ସେପଟେ ଏହି ସମନ ପାଇବା ପରେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସହିତ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ।

ସେ କହିଛନ୍ତି ଯେ, କୌଣସି ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନାହିଁ। ତଦନ୍ତକାରୀ ସଂସ୍ଥାଗୁଡ଼ିକ କୋର୍ଟରେ ମିଛ କହିଛନ୍ତି। ଏହି ମାମଲାରେ ମନୀଷ ସିସୋଦିଆଙ୍କୁ ଫସାଇବା ପାଇଁ ସିବିଆଇ ଓ ଇଡି କୋର୍ଟଙ୍କୁ ବାଟବଣା କରିଛନ୍ତି ଏବଂ ମିଛ ପ୍ରମାଣ ଦେଇଛନ୍ତି। ସେମାନେ କୋର୍ଟରେ ମିଥ୍ୟା ସତ୍ୟପାଠ ଓ ପ୍ରମାଣ ଦାଖଲ କରିଛନ୍ତି। ସେଥିପାଇଁ ପ୍ରକୃତ ମାମଲା ସିବିଆଇ ଓ ଇଡି ଅଧିକାରୀଙ୍କ ବିରୋଧରେ ହେବ ବୋଲି ସେ କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ୧୦୦ କୋଟି ଟଙ୍କାର କିକ୍‌ବ୍ୟାକ୍ ହୋଇଥିବା ନେଇ ଇଡି ଦେଇଥିବା ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, ସେହି ୧୦୦ କୋଟି ଟଙ୍କା ଗଲା କୁଆଡ଼େ। ସବୁ ସ୍ଥାନରେ ଚଢ଼ାଉ କରାଗଲା। ମନୀଷ ସିସୋଦିଆଙ୍କ ବେଡ୍‌ରେ ପଡ଼ିଥିବା ଗଦି ଫାଡ଼ି ଦିଆଗଲା। କିନ୍ତୁ ଖଣ୍ଡିଏ ବି ସୁନା ମିଳିଲା ନାହିଁ। ଯଦି ମୁଁ ଏବେ କହିବି ଯେ ୧୭ ସେପ୍ଟେମ୍ବରରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦୦୦ କୋଟି ଟଙ୍କା ଦେଇଛି। ତାହେଲେ ଆପଣ କଣ ମୋ କଥାରେ ମୋଦିଙ୍କୁ ଗିରଫ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ୧୦୦ କୋଟି ଟଙ୍କାକୁ ଆପ୍ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ନେଇ ଇଡି କହିଥିବା ବେଳେ କେଜ୍ରିୱାଲ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସେମାନେ ପ୍ରତ୍ୟେକ ଭେଣ୍ଡର ଘରେ ଚଢ଼ାଉ କରିଥିଲେ। ସେମାନଙ୍କ ବୟାନ ବି ରେକର୍ଡ କରିଥିଲେ। କିନ୍ତୁ କିଛି ପାଇ ନଥିଲେ।

କେକ୍ରିୱାଲ ଆହୁରି କହିଛନ୍ତି, ଏହି ଦୁଇ ତଦନ୍ତକାରୀ ସଂସ୍ଥା ପ୍ରତିଦିନ କାହାକୁ ନା କାହାକୁ ଉଠାଉ ନେଉଛନ୍ତି ଓ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଏହି ମାମଲାରେ ଦିଲ୍ଲୀର ମନ୍ତ୍ରୀମାନଙ୍କ ନାଁ ନେବାକୁ ବାଧ୍ୟ କରୁଛନ୍ତି। ଇଡି ଲୋକଙ୍କୁ ଉଠାଇ ନେଇ ପିଟୁଛି। ମନ୍ତ୍ରୀମାନଙ୍କ ନାଁ ନେବା ପାଇଁ ଅରୁଣ ପିଲାଇ ଓ ସମୀର ମହେନ୍ଦୁଙ୍କୁ ନିର୍ଯାତନା ଦିଆଯାଇଛି। ଏହା କ’ଣ ସେମାନଙ୍କ ତଦନ୍ତ ପ୍ରକ୍ରିୟା? ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଯେ କ’ଣ ସବୁ ଚାଲିଛି?

ସେପଟେ ଦିଲ୍ଲୀ ଅବକାରୀ ନୀତିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ସମାନ ଅବକାରୀ ନୀତିକୁ ପଞ୍ଜାବରେ ମଧ୍ୟ ଆମ ଆଦମୀ ପାର୍ଟିର ସରକାର ଲାଗୁ କରିଛି ଆଉ ଏହି ପଲିସି ଲାଗୁ ହେବା ପରେ ପଞ୍ଜାବର ଅବକାରୀ ରାଜସ୍ବ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯେହେତୁ ପଞ୍ଜାବ ଭଳି ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ନୁହେଁ ତେଣୁ ଏଠାରେ ଏହି ନୀତି ଲାଗୁ ହୋଇ ପାରିଲା ନାହିଁ ଆଉ ଏହାକୁ ଏକ ଦୁର୍ନୀତିର ଆଖ୍ୟା ଦିଆଗଲା। ଏଭଳି ଅଭିଯୋଗ ଭିତ୍ତି ହୀନ। ଯଦି କୌଣସି ପ୍ରମାଣ ଆଛି ତାହେଲେ ଦିଅନ୍ତୁ ବୋଲି ସେ କହିଛନ୍ତି। କେଜ୍ରିୱାଲ ଆହୁରି କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ସମସ୍ତ ବିରୋଧୀ ନେତାଙ୍କୁ ଭ୍ରଷ୍ଟାଚାରୀ କହି ଜେଲରେ ପୁରାଉଛନ୍ତି। ସେମାନେ ମୋତେ ବି ଭ୍ରଷ୍ଟାଚାରୀ ବୋଲି କହୁଛନ୍ତି ତେବେ ଯଦି ଅରବିନ୍ଦ କେଜ୍ରିୱାଲ ଜଣେ ଭ୍ରଷ୍ଟାଚାରୀ ତାହେଲେ ବିଶ୍ୱରେ ଆଉ କେହି ସଚ୍ଚୋଟ ବ୍ୟକ୍ତି ନାହାନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗତ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଆଉ ସମାନ ମାମଲାରେ ଶୁକ୍ରବାର କେଜ୍ରିୱାଲଙ୍କୁ ସମନ ଜାରି କରିଛି ସିବିଆଇ। ତେବେ ଏହା କେନ୍ଦ୍ରର ବିଜେପି ସରକାରର ଏକ ଷଡ଼ଯନ୍ତ୍ର ବୋଲି ଆମ୍ ଆଦ୍‌ମର ପାର୍ଟି କହିଛି। ଆପ୍ ଜାତୀୟ ଦଳର ମାନ୍ୟତା ପାଇବା ପରେ ମୋଦି ସରକାର ଅସହିଷ୍ଣୁ ହୋଇ ଏଭଳି କରୁଛନ୍ତି ବୋଲି ଆପ ଅଭିଯୋଗ କରିଛି।

Related Posts