ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPF) ବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ କନଷ୍ଟେବଲ (ଜେନେରାଲ ଡ୍ୟୁଟି) ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଏଣିକି ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ପରୀକ୍ଷା ହେବ। ଏହି ୧୩ ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ ମଧ୍ୟ ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPF)ରେ ଅଧିକରୁ ଅଧିକ ସ୍ଥାନୀୟ ଯୁବବର୍ଗଙ୍କୁ ସାମିଲ ହେବାକୁ ଆକୃଷ୍ଟ କରିବାକୁ ତଥା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଐତିହାସିକ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କ୍ରମେ ଏଣିକି CAPFରେ କନଷ୍ଟେବଲ ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଏଣିକି ଆଞ୍ଚଳିକ ଭାଷା ଓଡ଼ିଆ, ଅହମିଆ, ବଙ୍ଗାଳି, ଗୁଜରାଟୀ, ମରାଠୀ, ମାଲାୟାଲାମ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ ଭାଷା ରହିଛି। ଆସନ୍ତା ୨୦୨୪ ଜାନୁଆରୀରୁ ଏହି ନୂଆ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPF)ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (CRPF), ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (CISF), ଇଣ୍ଡୋ-ତିବ୍ଦତିଆନ ବୋର୍ଡର ପୁଲିସ୍ (ITBP), ସଶସ୍ତ୍ର ସୀମା ବଳ (SSB), ଆସାମ ରାଇଫଲ୍ସ (AP) ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ପ୍ରମୁଖ କେନ୍ଦ୍ରୀୟ ପୁଲିସ୍ ସଂସ୍ଥା ଗୁଡ଼ିକ ରହିଛନ୍ତି।





