ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ପ୍ରୟାଗରାଜରେ ଗଣମାଧ୍ୟମ ସାମ୍ନାରେ କ୍ୟାମେରା ଆଗରେ ହତ୍ୟା କରିବା ପରେ କେନ୍ଦ୍ର ସରକାର ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ସାମ୍ବାଦିକମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର୍) ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି। ଏଥିରେ ସାମ୍ବାଦିକମାନଙ୍କର ନିରାପଦ ଏବଂ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଆଯିବ।
ମିଳିଥିବା ସୂଚନା ମୂତାବକ, ଅତିକ ଅହମ୍ମଦ ଓ ଅସରଫର ହତ୍ୟା ପରେ ସରକାର ସାମ୍ବାଦିକଙ୍କ ସୁରକ୍ଷା ଓ ନିରାପତ୍ତାକୁ ନଜରରେ ରଖି ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ଏହି ହତ୍ୟାକାଣ୍ଡ ଘଟାଇଥିବା ତିନି ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧି ହୋଇ ଆସିଥିଲେ ଓ ଅତିକ ଏବଂ ଅସରଫକୁ ଗଣମାଧ୍ୟମ କର୍ମୀମାନେ ପ୍ରଶ୍ନ କରୁଥିବା ବେଳେ ତିନି ଅଭିଯୁକ୍ତ ଅତର୍କିତ ଗୁଳି ଚଳାଇଥିଲେ।
ସୂଚନାଯୋଗ୍ୟ ଯେ, ନିକଟରେ ଅତିକ୍ ଅହମ୍ମଦକୁ ସାବରମତି ଜେଲରୁ ୟୁପି ଅଣାଯାଇଥିଲା। ପୋଲିସ ତାର ହେପାଜତକୁ ନେଇ ଉମେଶ ପାଲ ହତ୍ୟା ବିଷୟରେ ପଚରାଉଚରା କରିଥିଲା। ପରେ ସେମାନଙ୍କର ଡାକ୍ତରୀ ଯାଞ୍ଚ କରିବାକୁ ନିଆଯାଇଥିଲା। ମେଡିକାଲ ଆଗରେ ଅତିକ ସହିତ ଭାଇ ଆଶରଫ ମଧ୍ୟ ଥିଲା। ସେହି ସମୟରେ ଦୁଇ ଭାଇଙ୍କୁ ଗୁଳି କରିଥିଲେ ତିନି ଦୁର୍ବୃତ୍ତ। ତେବେ କ୍ୟାମେରା ଆଗରେ ଦୁଇ ଭାଇଙ୍କୁ ହତ୍ୟା କରାଯିବା ଘଟଣା ପରେ ୟୁପି ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଘଟଣାର ପୋଲିସ କର୍ମୀଙ୍କ ସହିତ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ନେଇ ସାମ୍ବାଦିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।





