ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ଖରଘରଠାରେ ରବିବାର ଅପରାହ୍ନରେ ଅଂଶୁଘାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ପ୍ରଚଣ୍ଡ ତାତିରେ ଖୋଲା ଆକାଶତଳେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅନେକ ବ୍ୟକ୍ତି ସେମାନଙ୍କ ଶରୀରରୁ ଜଳୀୟଅଂଶ କମି ଯାଉଥିବା ଅଭିଯୋଗ କରିବା ସହିତ ତଳେ ବେହୋସ ହୋଇ ପଡ଼ିଯାଇଥିଲେ। ଫଳରେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଏହି ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ। ଶାହଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଯୋଗ ଦେଇଥିଲେ। ତେବେ ଉତ୍ସବର ଆୟୋଜନ ଅତି ନିମ୍ନମାନର ଥିଲା ଏବଂ ପରିଚାଳନା ଠିକ୍ ନଥିଲା ବୋଲି ଖରଘରର ସ୍ଥାନୀୟ ବାସିନ୍ଦା ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଏହି ଉତ୍ସବରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟରୁ ଲୋକମାନେ ଏଠାକୁ ଆସିଥିଲେ। ତେବେ ଖୋଲା ପଡ଼ିଆରେ ଖରାରେ ସେମାନେ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ବସି ରହିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ଯେ, ପଡ଼ିଆରେ ମାତ୍ର ଦୁଇଟି ଟେଣ୍ଟ ହୋଇଥିଲା ଯେଉଁଥିରେ କି ୧୦୦୦ ଜଣ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା। ଅନ୍ୟମାନେ ପ୍ରବଳ ଖରାରେ ଖୋଲା ସ୍ଥାନରେ ବସିଥିଲେ।
ସେପଟେ ଡାକ୍ତରଖାନାରେ ୫୦ ଜଣ ଅଂଶୁଘାତ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୪ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସାପରେ ଛାଡ଼ିଦିଆଯାଇଛି। ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ୧୧ କୁହାଯାଉଥିବା ବେଳେ ପ୍ରକୃତ ମୃତ୍ୟୁ ସଂଖ୍ୟା ୧୩ ବୋଲି ମଧ୍ୟ ଦାବି କରାଯାଉଛି। ଅନ୍ୟପଟେ ଏହି ଘଟଣା ପରେ ପୀଡ଼ିତମାନଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭି ମୁମ୍ବାଇ ସ୍ଥିତ ଏମ୍ଜିଏମ୍ ହସ୍ପିଟାଲ ଯାଇଥିଲେ। ଏଥିସହିତ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।





