ସରିଲା ମାଟ୍ରିକ ଖାତାଦେଖା; ମେ’ ତୃତୀୟ ସପ୍ତାହରେ ଆସିବ ରେଜଲ୍ଟ

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ସରିଲା ମାଟ୍ରିକ ଖାତାଦେଖା । ମାଟ୍ରିକ ଖାତାଦେଖା ସରି ଥିବା ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।ମେ’ ଦ୍ଵିତୀୟାର୍ଦ୍ଧ ଅର୍ଥାତ୍ ତୃତୀୟ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ତେବେ ତ୍ରୁଟି ଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି ଓ ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ପ୍ରକାଶ ନେଇ ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି।

ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ ‘ବି’ ସେଟରେ ଯେଉଁ ତ୍ରୁଟି ରହିଥିଲା,ତାହାର ସମାଧାନ କରାଯାଇଛି। ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି । ଫଳରେ କୌଣସି ଛାତ୍ରଛାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ଏପ୍ରିଲ ୩ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ପ୍ରକ୍ରିୟା ଚାଲିଥିଲା ।ତେବେ ବର୍ତ୍ତମାନ ସୁରୁଖୁରୁରେ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶେଷ ହୋଇଛି । ପୂର୍ବ ନିର୍ଦ୍ଧାରିତ ୧୨ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଖାତାଦେଖା କାର୍ଯ୍ୟ ଶେଷ ହେବା ପରେ ଏବେ ଟାବୁଲେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେହିପରି ଖାତାଦେଖା ପାଇଁ ୧୩ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଥିଲା ।

Related Posts