କେଜ୍ରିୱାଲଙ୍କ ଭଳି ଲୋକଙ୍କୁ କଂଗ୍ରେସ ସମର୍ଥନ ନକରିବା ଉଚିତ୍, ତାଙ୍କୁ ସମର୍ଥନ କଲେ ବିଜେପି ଫାଇଦା ପାଇବ’: ଅଜୟ ମାକନ

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଯାଏ ପଚରାଉଚରା କରିଛି । ତେବେ ଜେରା ପୂର୍ବରୁ ଅନେକ ବିରୋଧୀ ଦଳ କେଜ୍ରିୱାଲଙ୍କ ସପକ୍ଷରେ ବାହାରିଥିବାବେଳେ କଂଗ୍ରେସରେ କିନ୍ତୁ କେଜ୍ରିୱାଲଙ୍କୁ ନେଇ ଭିନ୍ନ ଭିନ୍ନ ସ୍ୱର ସାମନାକୁ ଆସିଛି।

କେଜ୍ରିୱାଲଙ୍କୁ ସମନ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଫୋନ କରି ତାଙ୍କ ସହ କଥା ହୋଇଥିଲେ। କେଜ୍ରିୱାଲଙ୍କୁ ସମର୍ଥନ କରିବା ସହ ବିଜେପି ବିରୋଧରେ ମିଳିତ ଭାବରେ ବିରୋଧୀ କିପରି ଲଢ଼ିବେ ସେନେଇ ଆଲୋଚନା ମଧ୍ୟ କରିଥିଲେ। ଅନ୍ୟପଟେ ଦଳର ବରିଷ୍ଠ ନେତା ଅଜୟ ମାକନ କହିଛନ୍ତି ଯେ, କଂଗ୍ରେସ କେଜ୍ରିୱାଲଙ୍କ ପରି ଲୋକ ଏବଂ ତାଙ୍କ ସହଯୋଗୀଙ୍କ ସହ କୌଣସି ପ୍ରକାର ସହାନୁଭୂତି କିମ୍ୱା ସମର୍ଥନ ନଦିଆଯିବା ଦରକାର ।

କଂଗ୍ରେସ ନେତା ଅଜୟ ମାକନ ରବିବାର ଏକ ଟ୍ୱିଟ୍ କରି କହିଛନ୍ତି, ‘ମୋ ଅନୁସାରେ କେଜ୍ରିୱାଲଙ୍କ ପରି ଲୋକ ଏବଂ ତାଙ୍କ ସହଯୋଗୀଙ୍କୁ, ଯେଉଁପରି ଦୁର୍ନୀତିର ସଙ୍ଗୀନ ଅଭିଯୋଗ ରହିଛି, କୌଣସି ପ୍ରକାର ସହାନୁଭୂତି କିମ୍ୱା ସମର୍ଥନ ନଦିଆଯିବା ଦରକାର । ଲିକରଗେଟ୍ ଏବଂ ଘିଗେଟ୍ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଦରକାର ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ’ ।

ମାକନ ଆହୁରି କହିଛନ୍ତି ଯେ, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଏହା ଭଲ ଭାବରେ ଜାଣିବା ଦରକାର ଯେ କେଜ୍ରିୱାଲ ଭ୍ରଷ୍ଟ ଉପାୟରେ ଅର୍ଜିତ ରାଶିକୁ ପଞ୍ଜାବ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ସହ ଅନେକ ରାଜ୍ୟରେ କଂଗ୍ରେସ ବିରୋଧରେ ବ୍ୟବହାର କରିଛନ୍ତି। ସେ କଂଗ୍ରେସର ବିରୋଧୀ ତେଣୁ କଂଗ୍ରେସର କୌଣସି ଓକିଲ ତାଙ୍କୁ ଆଇନଗତ ଲଢେଇରେ ସାହାଯ୍ୟ କରିବା ଉଚିତ୍ ନୁହେଁ। କେଜ୍ରିୱାଲଙ୍କୁ କଂଗ୍ରେସ ସାହାଯ୍ୟ କଲେ ଦଳର କର୍ମୀ ଦ୍ବନ୍ଦରେ ପଡ଼ିବେ। ଯାହାର ସିଧାସଳଖ ଫାଇଦା ଉଠାଇବ ବିଜେପି।

ସେ ଆହୁରି କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖଡଗେ କେଜ୍ରିୱାଲ ଙ୍କୁ ସମର୍ଥନ ଦେବା ଅନୁଚିତ୍। ଏବେ ଯଦି ଆମ ଆଦମୀ ପାର୍ଟି ବିରୋଧରେ ଏକ ଜନମତ ସୃଷ୍ଟି ନହୁଏ ତାହେଲେ ଆଗାମୀ ଦିନରେ କଂଗ୍ରେସକୁ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିବ। ଦିଲ୍ଲୀରେ ଆପ ୩ଥର ସରକାର ଗଢି ସାରିଲାଣି, ଏହାସହିତ ଏବେ ଆପ ଜାତୀୟ ଦଳ ମଧ୍ୟ ହୋଇ ସାରିଲାଣି। ଯଦି କଂଗ୍ରେସ ଏବେ ଆମ ଆଦମୀ ପାର୍ଟିକୁ ସାହାଯ୍ୟ କରେ ତେବେ ନିଶ୍ଚିତଭାବରେ କଂଗ୍ରେସକୁ ଏକ ବଡ ପରିଣାମ ଭୋଗିବାକୁ ପଡ଼ିବ। ଏହା କଂଗ୍ରେସ ହାଇକମାଣ୍ଡଙ୍କୁ ବୁଝିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ତେବେ କେଜ୍ରିୱାଲଙ୍କୁ ନେଇ କଂଗ୍ରେସରେ ଦେଖାଦେଇଥିବା ଭିନ୍ନ ମତ ଓ ଅଜୟ ମାକନ ଆଣିଥିବା ସବୁ ଅଭିଯୋଗ ପରେ କଂଗ୍ରେସ ହାଇକମାଣ୍ଡ କଣ ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Posts