ଜେଲରେ ଆକ୍ରମଣ ଆଶଙ୍କା !, ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେଲେ ଅତିକର ୩ ହତ୍ୟାକାରୀ

ଭୁବନେଶ୍ୱର,୧୭/୪(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅଶରଫକୁ ହତ୍ୟା କରିଥିବା ୩ ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ ଆଶଙ୍କା ଥିବାରୁ ସେମାନଙ୍କୁ ଭିନ୍ନ ଜେଲକୁ ସ୍ଥାନାନ୍ତିରତ କରାଯାଇଛି ।ଗିରଫ ପରେ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ସମସ୍ତ 3 ହତ୍ୟାକାରୀ ନୈନୀ ଜେଲରେ ଥିବା ବେଳେ ସୋମବାର ସମସ୍ତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରାଯାଇଛି ।

ଉତ୍ତର ପ୍ରଦେଶର ବିଭିନ୍ନ ଜେଲ ସମେତ ଏହି ଜେଲରେ ମଧ୍ୟ କୁଖ୍ୟାତ ମାଫିଆ ଅତିକର ସହଯୋଗୀ ଅପରାଧୀ ଥିବା କାରଣରୁ ଏହି ତିନି ହତ୍ୟାକାରୀଙ୍କ ଉପରେ ଆକ୍ରମଣ କରାଯିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସମସ୍ତ ୩ ହତ୍ୟାକାରୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ସମସ୍ତଙ୍କୁ କଡା ସୁରକ୍ଷା ମଧ୍ୟରେ ନୈନୀ ଜେଲକୁ ଅଣାଯାଇଥିଲା । ତିନୋଟି ଭିନ୍ନଭିନ୍ନ ସେଲରେ ସେମାନଙ୍କୁ କଡା ନୀରିକ୍ଷଣ ମଧ୍ୟରେ ରଖାଯାଇଥିଲା । ତେବେ ଏହି ଜେଲ୍‌ରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା କିଛି କୁଖ୍ୟାତ ଅପରାଧୀ ମଧ୍ୟ ସଜ୍ଜା କାଟୁଛନ୍ତି । ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କ ମଧ୍ୟ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ସହ ରହିଛି । ଏହି ୩ ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ କରାଯିବା ନେଇ ଇନପୁଟ ସୂଚନା ମିଳିଥିବା ଜଣାପଡିଛି । ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଆଜି ସମସ୍ତଙ୍କୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରିଛି ।

ସେପଟେ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ଏକ ୩ ଜଣିଆ ନ୍ୟାୟିକ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ଦୁଇ ମାସରେ ତଦନ୍ତ ଶେଷ କରି କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି ।

ସୂଚନାଯୋଗ୍ୟ ଯେ, ଶନିବାର ପୋଲିସ ହେପାଜତରେ ଦୁଇ ମାଫିଆ ଭାଇ ଅତିକ ଓ ଅଶରଫକୁ ଗୁଳି କରି ହତ୍ୟା କରିଥିଲେ ଏହି ତିନି ହତ୍ୟାକାରୀ । ଗୁଳିକାଣ୍ଡ ଘଟାଇବା ପରେ ସେମାନେ ଆତ୍ମସମର୍ପଣ ମଧ୍ୟ କରିଥିଲେ । ପୋଲିସ ସେମାନଙ୍କୁ ଗିରଫ କରି ତୁରନ୍ତ ସେମାନଙ୍କୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲା । ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ସମସ୍ତ ୩ ହତ୍ୟାକାରୀ ୧୪ ଦିନିଆ ନ୍ୟାୟିକ ହାଜତରେ ଅଛନ୍ତି ।

ଅନ୍ୟପଟେ ଗତକାଲି ଅତିକ ଓ ଅଶରଫର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସଂଧ୍ୟାରେ ଉଭୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହେଲେ ଶେଷକୃତ୍ୟରେ ସାମିଲ ହେବା ପାଇଁ ଅତିକର ପତ୍ନୀ ଆସିବାକୁ ଚାହୁଁଥିବା ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ଘଟିନଥିଲା । ଏବେ ମଧ୍ୟ ଅତିକର ପତ୍ନୀ ସହିସ୍ତା ପରବିନ ଫେରାର ରହିଛି ।

Related Posts