ପରୀକ୍ଷା ଚାଲିଥିବା ବେଳେ ଛାତରୁ ଖସିପଡ଼ିଲା ସିଲଙ୍ଗ ଫ୍ୟାନ୍, ୨ ଜଣ ଯୁକ୍ତ ୨ ଛାତ୍ର ଆହତ

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଅଘଟଣ। ପରୀକ୍ଷା ଚାଲିଥିବା ବେଳେ ଛାତରୁ ଖସିପଡିଲା ଫ୍ୟାନ। ସିଲଙ୍ଗ ଫ୍ୟାନ୍ ଖସିପଡ଼ିରୁ ଦୁଇ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଛାତ୍ର ହେଲେ ସମିର ସେଠୀ ଏବଂ ତାପସ ଜେନା। ତାଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଓଡ଼ିଆ ପରୀକ୍ଷା ଚାଲିଥିବା ବେଳେ ହଠାତ ଏକ ସିଲଙ୍ଗ ଫ୍ୟାନ ଛିଡି ଖସିପଡିଥିଲା। ଫଳରେ ପରୀକ୍ଷା ଦେଉଥିବା ଦୁଇଜଣ ଛାତ୍ରଙ୍କ ମୁଣ୍ଡ ଉପରେ ପଡି ଯାଇଥିଲା । ଆହତ ଦୁଇଜଣ ଛାତ୍ରଙ୍କୁ ମହାବିଦ୍ୟାଳୟର କର୍ମଚାରୀମାନେ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ଆଣିବା ପରେ ସେମାନେ ପୁନର୍ବାର ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ତେବେ ଏଭଳି ଏକ ଅଭାବନୀୟ ଘଟଣାରେ ନିଶ୍ଚିତ ମୃତ୍ୟରୁ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ଛାତ୍ର। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଲାଗିଥିବା ଫ୍ୟାନ ଗୁଡ଼ିକର ସଠିକ୍ ଭାବରେ ରକ୍ଷଣାବେକ୍ଷଣ ହେଉନଥିବାରୁ ଏଭଳି ହୋଇଥିବା ଜାଣିବାକୁ ମିଳିଛି ।

ଅନ୍ୟପଟେ ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ଗତ ୧୫ ଦିନ ତଳେ ଫ୍ୟାନ ଗୁଡିକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଦେବାଶିଷ ପଟ୍ଟନାୟକଙ୍କ ଦ୍ଵାରା ମରାମତି କରାଯାଇଥିଲା। କିନ୍ତୁ କିଭଳି ଫ୍ୟାନ ଛିଡି ପଡ଼ିଲା ତାହା ବୁଝାପଡୁନି ବୋଲି କହିଛନ୍ତି। ତେବେ ଏହାର ତଦନ୍ତ କରି ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Related Posts