ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ଟିକେଟ ପାଇଁ ବାପାଙ୍କ ହତ୍ୟାକାରୀକୁ ଭୁଲନ୍ତୁ ନାହିଁ ଦୀପାଳି ଦାସ। ଏହାସହିତ ଆନ୍ଧ୍ରର ସୁନିତା ରେଡ୍ଡୀଙ୍କ ଠାରୁ ଦୀପାଳି କିଛି ଶିଖନ୍ତୁ ବୋଲି ବିଜେପି କହିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତରେ ରାଜ୍ୟ ସରକାର ଓ କ୍ରାଇମବ୍ରାଞ୍ଚ ବିଫଳ ହୋଇଥିବା କହିଛନ୍ତି। ଏହାସହିତ ନବଙ୍କ ଝିଅ ଦୀପାଳି ଟିକେଟ ଓ ଭୋଟ ପାଇଁ କୌଣସି ସାଲିସ ନକରି ହାଇକୋର୍ଟ ଯାଇ ମାମଲାର ସିବିଆଇ ତଦନ୍ତ ଦାବି କରି ରିଟ ପିଟିସନ ଦାୟର କରନ୍ତୁ ବୋଲି ସେ କହିଛନ୍ତି।
ଆନ୍ଧ୍ରର ପୂର୍ବତନ ମନ୍ତ୍ରୀ ତଥା କଡପ୍ପାର ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟାକାଣ୍ଡ ଓ ତାଙ୍କ ହତ୍ୟା ପଛର ସତ ସାମ୍ନାକୁ ଆଣିବା ପାଇଁ ତାଙ୍କ ଝିଅ ସୁନିତା ରେଡ୍ଡୀ ଲଢିଥିବା ଲଢେଇରେ ଉଦାହରଣ ଦେଇଛନ୍ତି ମନୋଜ। ସୁନିତା ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ହୋଇଥିଲେ ମଧ୍ୟ କିପରି ନିଜ ବାପାଙ୍କ ହତ୍ୟା ପରେ କାହା ଉପରେ ବିଶ୍ୱାସ ନକରି ଏପରିକି ଆନ୍ଧ୍ର ସରକାରଙ୍କ ଦ୍ଵାରା କରାଯାଉଥିବା ଏସଆଇଟି ତଦନ୍ତ ଉପରେ ଭରସା ନକରି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାସହିତ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଶେଷରେ ସିବିଆଇ ତଦନ୍ତ କରି ୨୭୪ ଜଣ ସାକ୍ଷୀଙ୍କ ଆଧାରରେ ଗତ ୧୬ ଏପ୍ରିଲରେ ଖୋଦ୍ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଦାଦାଙ୍କୁ ଗିରଫ କରିଛି। ଏଥିରୁ ସିବିଆଇ ତଦନ୍ତର ସ୍ବଚ୍ଛତା ପ୍ରମାଣିତ ହୋଇଛି ବୋଲି ମନୋଜ କହିଛନ୍ତି। ତେବେ ବାପାଙ୍କ ମୃତ୍ୟୁ ପରେ ସୁନିତାଙ୍କୁ ବିଧାୟକ ଓ ସାଂସଦ ହେବାପାଇଁ ଟିକେଟ ଦିଆଯାଇଥିଲେ ସୁଦ୍ଧା ସେ ଏହାକୁ ପ୍ରତ୍ୟାଖ୍ୟାନ କରି ନିଜ ବାପାଙ୍କ ମୃତ୍ୟୁର ସତ୍ୟ ଉନ୍ମୋଚନ ପାଇଁ ଲଢେଇ ଲଢ଼ିଥିଲେ। ତେଣୁ ଦୀପାଳି ସୁନିତାଙ୍କ ଠାରୁ କିଛି ଶିଖନ୍ତୁ, ଦଳୀୟ ଟିକେଟ ଓ ଭୋଟ ବଦଳରେ ନିଜ ବାପାଙ୍କ ହତ୍ୟାକାଣ୍ଡର ସତ୍ୟ ଉନ୍ମୋଚନ ପାଇଁ ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରି ରିଟ୍ ପିଟିସନ ଦାୟର କରନ୍ତୁ ବୋଲି ମନୋଜ କହିଛନ୍ତି।
ସେପଟେ ନବ ଦାସଙ୍କ ହତ୍ୟାକୁ ୮୦ ଦିନ ପୁରିଥିଲେ ସୁଦ୍ଧା ତଦନ୍ତରେ କ୍ରାଇମବ୍ରାଞ୍ଚ ସଂପୂର୍ଣ୍ଣ ବିଫଳ ହୋଇଛି। ନବଙ୍କ ହତ୍ୟା ଦିନ ନବଙ୍କର ନିଜ କାକା ହତ୍ୟା ପଛରେ ବଡ ଷଡଯନ୍ତ୍ର ଟପ୍ ଲେବଲ୍ ରେ ହୋଇଥିବା ଅଭିଯୋଗ ଆଣିଥିଲେ। ହେଲେ ଏପର୍ଯ୍ୟନ୍ତ ଷଡଯନ୍ତ୍ର ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇପାରିଲା ନାହିଁ କି ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିଲା ନାହିଁ। ନବୀନ ବାବୁ ବିଜୁ ଜନତା ଦଳର ସଭାପତି ଭାବରେ ଅନୁପମ୍ପା ଓ ସହାନୁଭୂତି ହାତେଇବା ପାଇଁ ନବ ଙ୍କ ଝିଅ ଦୀପାଳି ଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରାଇଲେ । ହେଲେ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କେବେ ଝାରସୁଗୁଡ଼ା ବାସୀଙ୍କୁ ନ୍ୟାୟ ଦେବେ ଓ ଝାରସୁଗୁଡ଼ାବାସୀଙ୍କ ପ୍ରତିନିଧିଙ୍କ ହତ୍ୟାର ସତ୍ୟ ସାମ୍ନାକୁ ଆଣିବେ ବୋଲି ମନୋଜ ପ୍ରଶ୍ନ କରିଛନ୍ତି।





