ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମଓଡ଼ିଶା ରାଜନୀତି । ଘଟଣାର ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି । ପଶ୍ଚିମ ଓଡ଼ିଶା ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ମିଶାଇ ମୋଟ୍ ୧୪ଟି ଜିଲ୍ଲାରେ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବାଜାର ବନ୍ଦ ରଖିବା ସହ ଗାଡ଼ିମଟର ବନ୍ଦ ରଖିବା ପାଇଁ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ସକାଳୁ ସକାଳୁ ଏହି ୧୪ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ବଲାଙ୍ଗିର ମୁଖ୍ୟ ଡାକଘରେ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ । ବଲାଙ୍ଗିରରେ ସକାଳୁ ସକାଳୁ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । ସେହିପରି ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି ।ଭବାନୀପାଟଣା ସହରରେ ବସ୍ ଚଳାଚଳ ଠପ ହୋଇଯାଇଛି । ଦେବଗଡ଼ ଜିଲ୍ଲାରେ ପିକେଟିଂ ଆରମ୍ଭ କରି ଦେଇଛନ୍ତି ଆନ୍ଦୋଳନକାରୀ । ଏଠାରେ ଦୋକାନ, ବଜାର ବନ୍ଦ ରହିଛି । ସେହିପରି ବଣାଇ ରଜାମୁଣ୍ଡା ବାଇପାସ୍ରେ NH ଅବରୋଧ କରାଯାଇଛି । ରାସ୍ତାମଝିରେ ଅଟକି ରହିଛି ଗାଡ଼ିମୋଟର ।





