ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟା ଏଥର ବରୁଣା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି । ତେବେ ରାଜ୍ୟରେ ନିର୍ବାଚନ ମାହୋଲ୍ ମଧ୍ୟରେ ସିଦ୍ଧରମୈୟା ଏକ ବଡ ଘୋଷଣା କରିଛନ୍ତି। ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ । ଏହା ପରେ ସେ ରାଜନୀତିରୁ ଅବସର ନେବେ ବୋଲି କହିଛନ୍ତି ।
ସିଦ୍ଧରମୈୟା ଗତ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀ ଯଥାକ୍ରମେ, ବାଦାମି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଚାମୁଣ୍ଡେଶ୍ୱରୀ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ନିଜେ ବାଦାମୀ ଆସନରୁ ନିର୍ବାଚନରେ ଜିତିଥିଲେ ।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ପ୍ରାର୍ଥୀ ଭାବରେ ଏହି ବିଧାନସଭା ନିର୍ବାଚନ ତାଙ୍କର ଶେଷ ହେବ । ସିଦ୍ଧରମୈୟା ବୁଧବାର ଦିନ ବରୁନା ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରି କହିଛନ୍ତି ଯେ, ଏହା ଶେଷ ଥର ପାଇଁ ମୋର ନାମାଙ୍କନ ଦାଖଲ । ଏହା ମୋର ନିଷ୍ପତ୍ତି ।
ଏହି ସଭାରେ ସିଦ୍ଧରମୈୟା କହିଛନ୍ତି ଯେ, ଏହି ବିଧାନସଭା ନିର୍ବାଚନ ପରେ ମୁଁ ରାଜନୀତି ଛାଡିବି । ବରୁଣାର ଲୋକମାନେ ସର୍ବଦା ମୋ ସହିତ ଅଛନ୍ତି ଏବଂ ସେମାନଙ୍କର ସମର୍ଥନ ହେତୁ ମୁଁ ମୋର ରାଜନୈତିକ କ୍ୟାରିୟରରେ ଏହି ପର୍ଯ୍ୟାୟରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, ୭୫ ବର୍ଷୀୟ କଂଗ୍ରେସ ନେତା ସିଦ୍ଧରମୈୟା ପ୍ରଥମେ ୧୯୮୩ ମସିହାରେ ଚାମୁଣ୍ଡେଶ୍ୱରୀ ବିଧାନସଭା ନିର୍ବାଚନରେ ଜିତିଥିଲେ । ଏହା ପରେ ସେ ଜନତା ଦଳ (ସେକ୍ୟୁଲାର) ଏବଂ କଂଗ୍ରେସ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୨୦୧୩-୨୦୧୮ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ ତୁଲାଇଛନ୍ତି ।
ଚର୍ଚ୍ଚା ହେଉଛି ଯେ ଯଦି କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଦଳ ବିଜୟୀ ହୁଏ ତେବେ ସିଦ୍ଧରମୈୟା ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏହାରି ମଧ୍ୟରେ ସେ ଏହାକୁ ନିଜ ଶେଷ ନିର୍ବାଚନ ବୋଲି କହିଛନ୍ତି।





