ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଆରମ୍ଭ ହେବାକୁ ଯାଉଥିବା ଏଫ୍ଆଇଏଚ୍ (FIH) ପୁରୁଷ ଓ ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ ଓ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ଭାରତୀୟ ଦଳର ପାରମ୍ପରିକ ନୀଳ ରଙ୍ଗ ବଦଳରେ ଚଳିତ ଥର ଗେରୁଆ/କେଶରୀ ରଙ୍ଗର ଜର୍ସି ସାମିଲ କରାଯିବା ନିଷ୍ପତ୍ତିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଏହା ପଛର ବୈଷୟିକ କାରଣ ଦର୍ଶାଇ ସ୍ପଷ୍ଟୀକରଣ ରଖିଛନ୍ତି।
ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଖେଳାଳିମାନଙ୍କ ପୋଷାକ ବଦଳାଇବା ହେଉ, ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିବା ହେଉ କିମ୍ବା ଦେଶର ଇତିହାସକୁ ବଦଳାଇବାକୁ ଚେଷ୍ଟା କରିବା ହେଉ—ସରକାର ସବୁକିଛି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ଦେଶର ଅନେକ ପୂର୍ବତନ ହକି ଖେଳାଳି ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ନିଜର ଆପତ୍ତି ଜଣାଇସାରିଛନ୍ତି। ମାତ୍ର ସରକାର ମନେରଖିବା ଉଚିତ୍ ଯେ, ସତ୍ୟ, ଅହିଂସା, ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବ ଉପରେ ଆଧାରିତ ଏହି ଦେଶର ମୂଳ ଆତ୍ମାକୁ କେହି କେବେ ବଦଳାଇ ପାରିବେ ନାହିଁ।”
ଅପରପକ୍ଷରେ, ଜର୍ସି ରଙ୍ଗକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ରାଜନୈତିକ ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି କୌଣସି ରାଜନୈତିକ କିମ୍ବା ବାହ୍ୟ ଚାପରେ ନିଆଯାଇ ନାହିଁ, ବରଂ ଏହା ସମ୍ପୂର୍ଣ୍ଣ ଭାବେ ବୈଷୟିକ ଆବଶ୍ୟକତା ଏବଂ ଦଳର ଖେଳାଳି ଓ ପ୍ରଶିକ୍ଷକମାନଙ୍କ ସୁପାରିଶ କ୍ରମେ କରାଯାଇଛି।
ଶ୍ରୀ ତିର୍କୀଙ୍କ କହିବା ଅନୁଯାୟୀ ଆନ୍ତର୍ଜାତୀୟ ହକି ମ୍ୟାଚ୍ଗୁଡ଼ିକ ଆଜିକାଲି ବ୍ଲୁ-ଟର୍ଫ (ନୀଳ ରଙ୍ଗର ଆଷ୍ଟ୍ରୋଟର୍ଫ) ପସଡ଼ିରେ ଖେଳାଯାଉଛି। ନୀଳ ରଙ୍ଗର ମୈଦାନରେ ନୀଳ ଜର୍ସି ପିନ୍ଧି ଖେଳିବା ଦ୍ୱାରା ଖେଳାଳି, କୋଚ୍ ଏବଂ ରେଫ୍ରିମାନଙ୍କ ପାଇଁ ଦୃଶ୍ୟମାନତାରେ ସମସ୍ୟା ସୃଷ୍ଟି ହେଉଥିଲା।
ଏହି ଅସୁବିଧାକୁ ଦୂର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ହଳଦିଆ (Yellow) ଏବଂ ଗେରୁଆ (Saffron) ରଙ୍ଗର ବିକଳ୍ପ ରଖାଯାଇଥିଲା। ଟିମ୍ର କ୍ୟାପ୍ଟେନ୍, ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ମାନେ ଜାତୀୟ ପତାକାର ଅନ୍ୟତମ ପ୍ରତୀକ ଗେରୁଆ ରଙ୍ଗକୁ ପସନ୍ଦ କରିଥିଲେ।
ଜର୍ସି ରଙ୍ଗ ପରିବର୍ତ୍ତନ କୌଣସି ନୂଆ କଥା ନୁହେଁ। ପୂର୍ବରୁ ୨୦୧୪ ମସିହାରେ ଭାରତୀୟ ଦଳ ହଳଦିଆ ଜର୍ସି ଏବଂ ୨୦୧୮ ମସିହାରେ ଆକାଶୀ ନୀଳ (Sky Blue) ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲା।
ସଭାପତି ଶ୍ରୀ ତିର୍କୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱକପ୍ ସମାପ୍ତ ହେବା ପରେ ଯଦି ଖେଳାଳିମାନେ ଏହି ରଙ୍ଗରେ କୌଣସି ଅସୁବିଧା ଅନୁଭବ କରନ୍ତି, ତେବେ ଭବିଷ୍ୟତରେ ଜର୍ସି ରଙ୍ଗରେ ପୁନଃ ପରିବର୍ତ୍ତନ କରାଯିବା ନେଇ ହକି ଇଣ୍ଡିଆ ବିଚାର କରିପାରିବ।
ଅଗଷ୍ଟ ୧୫ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ସୁନାମ ଆଣିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ଦୃଢ଼ ଆଶା ବ୍ୟକ୍ତ କରାଯାଇଛି।
