ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫାଇଲକୁ ରାଜ୍ୟ ସରକାର ନିଜେ ଗାଏବ କରି ହଜିଥିବାର ନାଟକ କରୁଛନ୍ତି: ବିଜେପି

ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଯେଉଁ ଦୁଇଟି ଗୁରୁତ୍ୱପୁର୍ଣ୍ଣ ଫାଇଲ ବିଭାଗରୁ ହଜିଯାଇଛି ବୋଲି ଆଇନ ବିଭାଗ କହୁଛି ବାସ୍ତବରେ ସେ ଫାଇଲ ହଜିନାହିଁ ବଂର ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଆଜି ଶ୍ରୀମନ୍ଦିର ପ୍ରଶାସନର ଫାଇଲ ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କିଛି ଏଭଳି ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନିଲ ଆହୁରି କହିଛନ୍ତି, ଆଗରୁ ଖଣି ଦୁର୍ନୀତି ବାବଦରେ ଏକ ଫାଇଲ ସଚିବାଳୟରୁ ହଜିଥିଲା । ବିଡିଏର ଏକ ଫାଇଲ ଯାହାକୁ ଆକାଉଂଟାଟ ଜେନେରାଲ ମାଗିଥିଲେ ସେହି ଫାଇଲ ନଗର ଉନ୍ନୟନ ବିଭାଗ ହଜାଇଦେଲା । ସଚିବାଳୟରେ ସମସ୍ତଙ୍କ ଆଖି ସାମନାରେ ଥରେ ଅନେକ ଗୁରତ୍ୱପୁର୍ଣ୍ଣ ଫାଇଲ ନିଆଁରେ ପୋଡିଗଲା । ଯେବେ ଯେବେ ସରକାରଙ୍କର ଦୁର୍ନୀତି ଧରା ପଡିବାର ସମ୍ଭାବନା ଆସେ ସେତେବେଳେ ସଚିବାଳୟରୁ ଫାଇଲ ହଜିଯାଏ । ରାଜ୍ୟ ସରକାର ୨୦୦୭ ମସିହାରୁ ଓସଓାସ – ଅର୍ଥାତ ଇ-ଫାଇଲିଙ୍ଗ ବ୍ୟବସ୍ଥା ଲାଗୁକଲେଣି । ହଜିଥିବା ଫାଇଲରୁ ଗୋଟିଏ ଫାଇଲ ୨୦୧୪ ମସିହାର । ଇ-ଫାଇଲିଙ୍ଗ ବ୍ୟବସ୍ଥା ରାଜ୍ୟରେ ଥିବା ବେଳେ ପୁଣି ଫାଇଲ ହଜିଲା କେମିତି ? ସରକାର ଡ୍ରାମା ନକରି ତୁରନ୍ତ ସ୍ପଷ୍ଟ କରନ୍ତୁ ସେହି ହଜିଥିବା ଫାଇଲରେ କଣ ଥିଲା ବୋଲି ଅନିଲ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏକ ସରକାର ଥିବା ଭଳି ଲାଗୁନାହିଁ । ଜଗତର ନାଥ, କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଠାକୁର, ଓଡିଶାବାସୀଙ୍କର ବିଶ୍ୱାସର ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥଙ୍କର ଫାଇଲବି ଏଠି ସୁରକ୍ଷିତ ନାହିଁ । ଏହି ସରକାର ବାରମ୍ବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅନ୍ୟାୟ କରୁଛନ୍ତି, ଭକ୍ତଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି । ରତ୍ନଭଣ୍ଡାର ଚାବି ୨୦୧୮ ମସିହାରୁ ହଜିଲାଣି । ଚାବି ହଜିବା ଘଟଣାକୁ ୫ ବର୍ଷ ବିତିସାରିଲାଣି । ୫ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇପାରୁ ନାହାନ୍ତି ଯେ କେବେ ରତ୍ନଭଣ୍ଡାର ଖୋଲାଯିବ, କେବେ ଧନସମ୍ପତିର ଯାଂଚ ହେବ? ରତ୍ନଭଣ୍ଡାର ଚାବି ହଜିବା ନେଇ ହୋଇଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ କୁଆଡେ ଗଲା ? କାହିଁକି ସେ ରିପୋର୍ଟକୁ ସରକାର ଡିସେମ୍ବର ୨୦୧୮ରୁ ତର୍ଜମା ଆଳରେ ଚପାଇକି ରଖିଛନ୍ତି ତାର ଉତର ରଖନ୍ତୁ । ବିଜୁ ଜନତା ଦଳର ସରକାର ରତ୍ନଭଣ୍ଡାର ଚାବି ହଜାଇଲେ, ଶ୍ରୀମନ୍ଦିରର ଫାଇଲ ହଜାଇଲେ । ୨୦୨୪ରେ ସେମାନେ ଓଡିଶା ରାଜନୀତିରୁ ହଜିଯିବେ ବୋଲି ବିଶ୍ୱାଳ କହିଛନ୍ତି ।

୨୦୧୯ରେ ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ମନ୍ଦିର ପ୍ରଶାସକ ଭାବରେ ଜଣେ ପୁର୍ଣ୍ଣକାଳିନ ଅଧୀକାରି ନିଯୁକ୍ତ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାର ତାହା କଲେ ନାହିଁ । ଏବେ ପୁଣି ମାର୍ଚ୍ଚ ୨୦୨୩ରେ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ଅସନ୍ତୋଷ ହୋଇ କହିଛନ୍ତି ଯେ ପରବର୍ତୀ ଶୁଣାଣୀ ସମୟକୁ ଯଦି ରାଜ୍ୟ ସରକାର ପୁର୍ଣ୍ଣକାଳିନ ମନ୍ଦିର ପ୍ରଶାସକ ନିଯୁକ୍ତି ନକରନ୍ତି ତାହେଲେ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ୭ ଜଣ ଆଇଏଏସ ଆଇପିଇଏସ, ୮ ଜଣ ଓଏଏସ କାମ କରୁଛନ୍ତି । ହେଲେ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା ପାଇଁ ଜଣେ ଅଧିକାରିଙ୍କୁ ପୁର୍ଣ୍ଣକାଳିନ ରଖିବା ପାଇଁ ସରକାରଙ୍କ କୁଂଠାବୋଧ କାହିଁକି ବୋଲି ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

Related Posts