ଚୀନକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହେଲା ଭାରତ

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ଚୀନ୍‌କୁ ପଛରେ ପକାଇ ଭାରତ ଏବେ ବିଶ୍ବର ସବୁଠାରୁ ଅଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଚୀନ୍‌ ଜନସଂଖ୍ୟାକୁ ଟପିଯାଇଛି ଭାରତର ଜନସଂଖ୍ୟା । ଜାତିସଂଘ ତଥ୍ୟ ଅନୁଯାୟୀ ଚୀନ୍‌ ଜନସଂଖ୍ୟା ବର୍ତ୍ତମାନ ୧୪୨.୫୭ କୋଟି ଥିବାବେଳେ ଭାରତର ଜନସଂଖ୍ୟା ବର୍ତ୍ତମାନ ୧୪୨.୮୬ କୋଟିରେ ପହଞ୍ଚିଛି । ଚୀନ୍‌ଠାରୁ ଭାରତର ଜନସଂଖ୍ୟା ଏବେ ପ୍ରାୟ ୨୯ ଲକ୍ଷ ଅଧିକ ଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।

ତେବେ ୧୯୫୦ରେ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ କରିବା‌ ପରଠାରୁ ଭାରତ ପ୍ରଥମ ଥର ପାଇଁ ଜାତିସଂଘର ସର୍ବାଧିକ ଜନବହୁଳ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷେ ଚୀନ୍‌ରେ ଜନ୍ମହାର ହ୍ରାସ ପାଇଛି ଏବଂ ଆଗକୁ ମଧ୍ୟ ଆହୁରି ହ୍ରାସ ପାଇବ। ଚୀନ୍‌ର ଏକାଧିକ ଅଞ୍ଚଳରେ ଜନ୍ମହାର ବୃଦ୍ଧି କରିବାପାଇଁ ଯୋଜନା ଘୋଷଣା ହୋଇଛି, କିନ୍ତୁ ସବୁ ଯୋଜନା ବିଫଳ ହୋଇଛି।

ଜାତିସଂଘ ତଥ୍ୟ ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୨୫ ପ୍ରତିଶତ ୦-୧୪ ବର୍ଷ ବୟସବର୍ଗରେ ରହିଛନ୍ତି। ୧୦-୧୯ ବର୍ଷ ବୟସ ମଧ୍ୟରେ ୧୮ ପ୍ରତିଶତ ଜନସଂଖ୍ୟା ଅଛନ୍ତି। ୨୬ ପ୍ରତିଶତ ଲୋକଙ୍କ ବୟସ ୧୦-୨୪ ବର୍ଷ ମଧ୍ୟରେ। ଅନ୍ୟପକ୍ଷେ ୧୫-୬୪ ବର୍ଷ ମଧ୍ୟରେ ୬୮ ପ୍ରତିଶତ ଲୋକ ଅଛନ୍ତି ଏବଂ ମାତ୍ର ୭ ପ୍ରତିଶତ ଜନସଂଖ୍ୟାଙ୍କ ବୟସ ୬୫ ବର୍ଷରୁ ଅଧିକ। ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା ଆଗାମୀ ୩ ଦଶନ୍ଧି ପର୍ଯ୍ୟନ୍ତ ବଢ଼ିବ। ୧୬୫ କୋଟିରେ ପହଞ୍ଚିବାପରେ ଭାରତର ଜନସଂଖ୍ୟା ହ୍ରାସ ପାଇବ।

ତେବେ ଭାରତର ଜନସଂଖ୍ୟା ନେଇ ନିକଟରେ କୌଣସି ସରକାରୀ ତଥ୍ୟ ଜାରି ହୋଇନାହିଁ। କାରଣ ୨୦୧୧ ପରଠାରୁ ଦେଶରେ କୌଣସି ଜନଗଣନା ହୋଇନାହିଁ। ୨୦୨୧ରେ ଜନଗଣନା କାର୍ଯ୍ୟକ୍ରମ ଥିବାବେଳେ କ‌ରୋନା ମହାମାରୀ ଯୋଗୁଁ ଏହା ବିଳମ୍ବିତ ହୋଇଛି। ଏକ ଆକଳନ ଅନୁଯାୟୀ କେରଳ ଏବଂ ପଂଜାବରେ ବେଶି ବୟସ୍କ ଲୋକ ଅଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ଏବଂ ବିହାରରେ ଅଧିକାଂଶ ଯୁବକ ଅଛନ୍ତି।

ଦେଶରେ ଅର୍ଦ୍ଧାଧିକ ଜନସଂଖ୍ୟାଙ୍କ ବୟସ ୩୦ରୁ କମ୍‌ ହୋଇଥିବାରୁ ଭାରତ ଆଗାମୀ ବର୍ଷରେ ବିଶ୍ବର ଏକ ପ୍ରମୁଖ ଅର୍ଥନୀତିରେ ପରିଣତ ହେବ। ୟୁଏନଏପିଏ (ୟୁନାଇଟେଡ୍‌ ନେସନ୍ସ ପପୁଲେସନ ଫଣ୍ଡ୍‌) ରେ ଜଣେ ଭାରତୀୟ ପ୍ରତିନିଧି ଆଣ୍ଡ୍ରି ୱଜ୍‌ନର କହିଛନ୍ତି, ଭାରତର ୧.୪ ବିଲିଅନ ଜନସଂଖ୍ୟାକୁ ୧.୪ ବିଲିଅନ ସୁଯୋଗ ହିସାବରେ ବିବେଚନା କରାଯିବ। ଭାରତର ୨୫୪ (୧୫-୨୪ ବର୍ଷୀୟ) ନିୟୁତ ଯୁବଗୋଷ୍ଠୀ ନୂ୍ଆ ଉଦ୍ଭାବନ, ନୂଆ ଚିନ୍ତାଧାରା ଏବଂ ସ୍ଥାୟୀ ସମାଧାନର ଉତ୍ସ ହେବେ। ମହିଳାମାନଙ୍କୁ ସଠିକ୍‌ ଶିକ୍ଷା ଓ ଦକ୍ଷତା ନିର୍ମାଣର ସୁଯୋଗ ମିଳିଲେ ଭାରତ ଆହୁରି ଆଗକୁ ଯିବ।

Related Posts