ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ନୀ କିରଣଦୀପ କୌର ଅଟକ । ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆଜି(ଗୁରୁବାର) ଅମୃତସରର ଶ୍ରୀ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିରଣଦୀପଙ୍କୁ ଅଟକ ରଖିଛି ପଞ୍ଜାବ ପୋଲିସ । ସେ ଭାରତ ଛାଡି ଲଣ୍ଡନ ପଳାୟନ କରିବାକୁ ଉଦ୍ୟମ କରୁଥିଲେ । ଆଜି ପୂର୍ବାହ୍ନରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ଏହାପୂର୍ବରୁ ପୋଲିସ କିରଣଦୀପଙ୍କୁ ଅଟକ ରଖି ହେପାଜତକୁ ନେଇଛି ।
କିରଣଦୀପ ଅମୃତସର ବିମାନ ବନ୍ଦରରୁ ଲଣ୍ଡନର ବର୍ମିଂହାମ ଯିବାକୁ ଉଦ୍ୟମ କରୁଥିଲେ । ପୂର୍ବାହ୍ନ ସାଢେ ୧ଟାରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ହେଲେ ବିିମାନ ବନ୍ଦରରେ ଥିବା ପୋଲିସ କିରଣଦୀପଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ପଞ୍ଜାବ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିରଣଦୀପ ବ୍ରିଟେନ ନାଗରିକ ଅଟନ୍ତି । ତାଙ୍କ ପାଖରେ ବ୍ରିଟେନ ପାସପୋର୍ଟ ରହିଛି । ପଞ୍ଜାବ କିମ୍ବା ଦେଶରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନି ।
ତେବେ କିଛି ମାସ ତଳେ ସେ ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହଙ୍କୁ ବିବାହ କରିଥିଲେ। ତେବେ ପତ୍ନୀ କିରଣଦୀପ ବ୍ରିଟେନରେ ରହିବା ସମୟରେ ବାବର ଖଲସା ଇଣ୍ଟରନ୍ୟାସନାଲ ସଂଗଠନର ସକ୍ରିୟ ସଦସ୍ୟ ଥିବା ସଂକ୍ରାନ୍ତରେ ପଞ୍ଜାବ ପୋଲିସ କିମ୍ବା କେନ୍ଦ୍ରୀୟ ଏଜେନ୍ସି ନିକଟରେ ମଧ୍ୟ କୌଣସି ଠୋସ୍ ପ୍ରମାଣ ଅଥବା ଏଫଆଇଆର ନାହିଁ । ଫେରାର୍ ଅଭିଯୁକ୍ତର ପରିବାର ଓ ପରିଚିତଙ୍କୁ ପଚରାଉଚରା ପାଇଁ ଉଦ୍ଧିଷ୍ଟ ଆଇନ ବ୍ୟବସ୍ଥା ଅଧିନରେ କିରଣଦୀପଙ୍କୁ ଅଟକ ରଖାଯାଇଛି। ତେବେ ଅମ୍ରିତପାଲ ସିଂହକୁ ପାଣ୍ଠି ଯୋଗାଣ ମାମଲାରେ ଗତ ମାର୍ଚ୍ଚରେ କିରଣଦୀପଙ୍କୁ ଜାଲ୍ଲୁପୁର ଖେଡା ଗ୍ରାମରେ ପଚରାଉଚରା କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୮ରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଫେରାର୍ ରହିଛି । ଏହାପରେ ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷିତ କରିବା ସହ ଧରିବାକୁ ଚାରିଆଡେ ଖୋଜାଖୋଜି ଜାରି ରଖିଛି । ହେଲେ ଏ ଯାଏଁ ଅମ୍ରିତପାଲର ଟେର୍ ମିଳିନି । କିଛି ଦିନ ତଳେ ପଞ୍ଜାବ ପୋଲିସ ଖଲିସ୍ତାନୀ ନେତାର ଆଉ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ଆଇନଜୀବୀ ରହିଥିଲେ । ଏହି ଅଭିଯୁକ୍ତମାନେ ପଳାତକ ଅମ୍ରିତପାଲର ରହିବା ବନ୍ଦୋବସ୍ତ କରିବା ସହ ତା’ ନିକଟକୁ ଟଙ୍କା ପଠାଇ ଥିଲେ ।





