ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ଆଜି ଏନସିପି ମୁ୍ଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପୱାରଙ୍କୁ ଭେଟିଛନ୍ତି । ପୱାରଙ୍କ ମୁମ୍ବାଇସ୍ଥିତ ବାସଭବନ ‘ସିଲଭର ଓକ’କୁ ଯାଇ ଶରଦଙ୍କୁ ଭେଟିଛନ୍ତି ଗୌତମ ଅଦାନୀ । ପ୍ରାୟ ୨ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।ଏହି ଭେଟଘାଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ଅଳ୍ପ ଦିନ ପୂର୍ବରୁ ଶରଦ ପୱାର ହିଣ୍ଡନବର୍ଗ ପ୍ରସଙ୍ଗରେ ଅଦାନୀଙ୍କୁ ସମର୍ଥନ କରିଥିଲେ ।
ତେବେ ଆମେରିକା ଫାର୍ମ ହିଣ୍ଡନବର୍ଗ ଗତ କିଛି ଦିନ ତଳେ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ ସମ୍ପର୍କରେ ଏକ ରିପୋର୍ଟ ଜାରି କରିଥିଲା । ଅଦାନୀ ଗ୍ରୁପ ମାର୍କେଟରେ ହେରଫେର ଏବଂ ଆକାଉଣ୍ଟରେ ଦୁର୍ନୀତି କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଶେୟାର ମାର୍କେଟରେ ଅଦାନୀଙ୍କ କମ୍ପାନୀ କ୍ରମାଗତ ତଳକୁ ଖସିଥିଲା । ଅବଶ୍ୟ ଅଦାନୀ ଗ୍ରୁପ ଏପରି ଅଭିଯୋଗକୁ ମିଛ ବୋଲି କହିଥିଲା ।
ସେପଟେ ଏହାକୁ ନେଇ ସଂସଦ କମ୍ପିଥିଲା। କେନ୍ଦ୍ର ସରକାରଙ୍କୁ ଘେରିଥିଲେ ବିରୋଧୀ। ଏ ନେଇ ଅଦାନୀଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିଲା । ସୁପ୍ରିମକୋର୍ଟ ମାର୍ଚ୍ଚରେ ଏକ୍ସପର୍ଟ କମିଟି ଗଠନ ପାଇଁ ଆଦେଶ ଦେଇଥିଲା । ଏହି କମିଟିର ଅଧ୍ୟକ୍ଷତା କରୁଛନ୍ତି ଜଷ୍ଟିସ ଏଏମ ସପ୍ରେ । ସୁପ୍ରିମକୋର୍ଟ ଆହୁରି କହିଥିଲେ, ସେବି ଏହି ମାମଲାର ଯାଞ୍ଚ କରିବେ ଏବଂ ୨ ମାସ ମଧ୍ୟରେ ରିପୋର୍ଟ ଦେବେ । ଏସବୁ ସତ୍ତ୍ୱେ ଶରତ ପୱର ହିଣ୍ଡନବର୍ଗ ପ୍ରସଙ୍ଗରେ ଅଦାନୀଙ୍କୁ ସମର୍ଥନ କରିଥିଲେ । ଶରତ ପୱାର କହିଥିଲେ, ଯିଏ ଏହି ଅଭିଯୋଗ ଆଣିଛି ସେ କିଏ ? ତାଙ୍କର ପୃଷ୍ଠଭୂମି କ’ଣ ? ଲାଗୁଛି, ଏସବୁ କାହାକୁ ଟାର୍ଗେଟ କରିବା ପାଇଁ କରାଯାଉଛି ।
ଏସବୁ ବାଦ ବିବାଦ ପରେ ଗୌତମ ଅଦାନୀ ଶରଦ ପୱାରଙ୍କୁ ଭେଟିବ ନିଶ୍ଚିତ ଭାବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାହିଁକି ଭେଟିଲେ, ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ଏମିତି ଅନେକ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି । ସେପଟେ ଦେଶର ବିରୋଧୀ ମାନେ ମିଳିତ ଭାବରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ତଦନ୍ତ ଦାବି କରୁଛନ୍ତି। ଏପରିକି ଆଦାନୀ ପ୍ରସଙ୍ଗ ପାଇଁ ସଂସଦର ଗତ ଅଧିବେଶନ ମଧ୍ୟ ଚାଲି ପାରିନଥିଲା। ଏଭଳି ସ୍ଥିତିରେ ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର ପ୍ରଥମେ ଆଦାନୀଙ୍କୁ ସମର୍ଥନ କରିବା ଓ ଏବେ ଆଦାନୀ ପାୱାରଙ୍କୁ ଭେଟିବା ବିରୋଧୀ ଏକତା ଉପରେ ଏକ ବଡ ପ୍ରଶ୍ନ ଉଠାଇଛି।





