ଯୁବ କଂଗ୍ରେସର ସଭାପତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ନେତ୍ରୀଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଆସାମ ଯୁବ କଂଗ୍ରେସର ଅଧ୍ୟକ୍ଷା ଡା. ଅଙ୍ଗକିତା ଦତ୍ତଙ୍କୁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ବୋଲି ଦଳ ସୂଚନା ଦେଇଛି। ହେଲେ ଅଙ୍ଗକିତା କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ଦେଇ ନାହିଁ।

ଅଙ୍ଗକିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସରକାରରେ ମନ୍ତ୍ରୀ ଭାବେ କାମ କରିଥିବା ଅଞ୍ଜନ ଦତ୍ତଙ୍କ ଝିଅ। ଅଙ୍ଗକିତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭି ୬ ମାସ ହେଲା ତାଙ୍କୁ ହଇରାଣ କରିବା ସହିତ ନିର୍ଯାତନା ଦେଇ ଆସୁଛନ୍ତି। ଏମିତିକି ଏ ସଂପର୍କରେ ଦଳର ଉପର ସ୍ତରରେ ଅଭିଯୋଗ କଲେ ପରିଣାମ ଅତି ଖରାପ ହେବ ବୋଲି ଧମକ ଦେଉଛନ୍ତି।

ତାଙ୍କ ଅଭିଯୋଗ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏକାଧିକ ଟ୍ୱିଟ୍ କରି ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। ଏହା ପରେ ଭାରତୀୟ ଯୁବ କଂଗ୍ରେସର ଲିଗାଲ ସେଲ୍ ଅଙ୍ଗକିତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲା। ଏହାର ଦିନକ ପରେ ତାଙ୍କୁ ଆସାମ ଯୁବ କଂଗ୍ରେସ ସଭାପତି ପଦରୁ ହଟାଇ ଦିଆଯାଇଥିବା ଅଙ୍ଗକିତା କହିଥିଲେ।

ଏହା ଭିତରେ ଜାତୀୟ ମହିଳା କମିଶନ ଆସାମ ପୁଲିସକୁ ଅଙ୍ଗକିତା ଆଣିଥିବା ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ କହିଛନ୍ତି। ଏହା ସହିତ ଏହାର ଏକ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ଆସାମ ଡିଜିପିଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଗୁରୁବାର ଅଙ୍ଗକିତା ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ କଂଗ୍ରେସ ଏହି ଘଟଣାର ସମାଧାନ କରି ନପାରିଲେ ଆଉ କିଛି ଦିନ ମଧ୍ୟରେ ଆଇନ ତା’ ବାଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଅନ୍ୟପଟେ ଶ୍ରୀନିବାସ ମଧ୍ୟ ଅଙ୍ଗକିତାଙ୍କ ବିରୋଧରେ ଆଇନଗତ ନୋଟିସ୍ ଜାରି କରିଛନ୍ତି। ବିନା କାରଣରେ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ କହିଛି ଯେ ମାମଲା ତଦନ୍ତ ଚାଲିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Posts