ସମ୍ବଲପୁରରେ ଶାନ୍ତି ଫେରିବା ଚାହୁଁନାହିଁ ବିଜେପି: ବିଜେଡି

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ଘଟଣାରେ ଓଡ଼ିଶା ବିଜେପି ନେତାମାନେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ି ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହାକୁ ନେଇ ବିଜେଡି କହିଛି ଯେ, ଓଡ଼ିଶା ବିଜେପି ନେତାମା‌େନ ସମ୍ବଲପୁରରେ ସ୍ଥିତି ସ୍ବାଭାବିକ ହେଉ ବୋଲି ଚାହୁନାହାନ୍ତି।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ବିବୃତ୍ତି ଜାରି କରି କହିଛନ୍ତି ଯେ, ସମ୍ବଲପୁରର ସମ୍ବେଦନଶୀଳ ଘଟଣା ପରେ ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୁଲିସ ପ୍ରଶାସନର ଦୃଢ ଉଦ୍ୟମ ଯୋଗୁ ସେଠାରେ ସ୍ବାଭାବିକ ଅବସ୍ଥା ଫେରିଆସୁଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ବାଭାବିକ ହେଉ ବୋଲି ଚାହୁନାହାନ୍ତି। ଏହିଭଳି ଘଟଣା ଜାରି ରହୁ ବୋଲି ସେମାନେ ଚାହୁଛନ୍ତି।

ବିଜେପି ନେତାମାନଙ୍କର ପ୍ରାରମ୍ଭିକ ପ୍ରୟାସ ବିଫଳ ହେବା ପରେ ଏବେ ବିଭିନ୍ନ ଉପାୟ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ବିଜେପି ବନ୍ଦ ଡାକରା ଦେଇଥିଲା। ଯାହା ଓଡ଼ିଶାର ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିଲା। ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି।

ଓଡ଼ିଶାର ଲୋକମାନେ ଶାନ୍ତିପ୍ରେମୀ ଏବଂ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। କିନ୍ତୁ ଓଡ଼ିଶା ବିଜେପି ସେମାନଙ୍କୁ ଆଇନବିହୀନ ବୋଲି କହି କ୍ରମାଗତ ଭାବେ ଅପମାନିତ କରୁଛି। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ।

ଓଡ଼ିଶାର ଲୋକମାନେ ଶାନ୍ତି ଚାହୁଛନ୍ତି ଏବଂ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ବାଭାବିକ ହେବା ଚାହୁଛନ୍ତି। ଯାହା ଓଡ଼ିଶା ବିଜେପିର ଏଜେଣ୍ଡା ସହ ମେଳ ଖାଉନି। ତେଣୁ ସେମାନେ କ୍ରମାଗତ ଭାବେ ଓଡ଼ିଶା ଏବଂ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସମ୍ବଲପୁରର ସମ୍ବେଦନଶୀଳ ପ୍ରସଙ୍ଗ‌କୁ ଜାରି ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ମିଶ୍ର ଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Related Posts