ପିଲାଙ୍କ ବହି ବିକି ନିଲମ୍ବିତ ହେଲେ ସିଆରସିସି

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ବହି ବିକି ନିଲମ୍ବିତ ହେଲେ ସିଆରସିସି ମନମୋହନ ମିଶ୍ର । ଖୋର୍ଦ୍ଧା ଜିଲ୍ଲା ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର ପିଲାଙ୍କ ବହି ବିକ୍ରି କରିଥିଲେ। ଏନେଇ ଅଭିଯୋଗ ପରେ ସଂପୃକ୍ତ ସିଆରସିସିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲଗଡ଼ ବିଇଓ ନିରଞ୍ଜନ ମହାନ୍ତି ।

ଖବର ଅନୁଯାୟୀ, ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର କାର୍ଯ୍ୟାଳୟ ଠାରେ ସିଆରସିସି ମନମୋହନ ମିଶ୍ର ସୋମବାର ଜଣେ କବାଡିଆକୁ ଡାକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମାଗଣା ବଣ୍ଟନ ପାଇଁ ଆସିଥବା ବହିଗୁଡିକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଥିଲେ।

ଦେଉଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କ୍ଲଷ୍ଟର କାର୍ଯ୍ୟାଳୟରେ କବାଡିଆ ଡମ୍ବରୁଧର ସାହୁ ବହି ଓଜନ କରି କିଣୁଥିବା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ କେତେକ ଅଭିଭାବକ ପହଞ୍ଚି ଏହାକୁ ବିରୋଧ କରିବା ସହ ଉଭୟଙ୍କୁ ଅଟକ ରଖିଥିଲେ। ପରେ ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।

ତେବେ ସେ ନିଜେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଏବିଇଓଙ୍କୁ ପଠାଇଥିଲେ। ସଂପୃକ୍ତ ସିଆରସିସି ନିଜ ଭୁଲ୍ ମାନିଥିବା ବେଳେ ଗାଁ ଲୋକେ ତାଙ୍କୁ ଦଣ୍ଡସ୍ବରୂପ ସମସ୍ତଙ୍କ ସାମ୍ନାରେ ଉଠବସ୍ କରାଇଥିଲେ। ତେବେ ପିଲାମାନଙ୍କୁ ମାଗଣା ବହି ନଦେଇ ସିଆରସିସି ଜଣଙ୍କ ପ୍ରତି ବର୍ଷ କୁଇଣ୍ଟାଲ କୁଇଣ୍ଟାଲ ବହି ବିକ୍ରି କରି ମାଲେମାଲ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଆଉ ଏବେ ବୋଲଗଡ଼ ବିଇଓ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସିଆରସିସି ପଦରୁ ମହମୋହନ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି ବିଇଓ ।

Related Posts