ନବ ଗଠିତ ପିସିସି କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାରା ବାହିନୀପତି; କହିଲେ, ଆବଶ୍ୟକ ନାହିଁ ପଦବୀ

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ପିସିସି ସଭାପତି ଭାବେ ଦାୟିତ୍ଵ ନେବାର ଦୀର୍ଘଦିନ ପରେ ପୁନର୍ଗଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଶରତ ପଟ୍ଟନାୟକ ନିଜର ବିଶାଳ ଟିମ୍ ଗଢ଼ିଛନ୍ତି । ଶରତଙ୍କ ନୂଆ ଟିମ୍ ରେ ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ, ୬୭ଜଣିଆ କାର୍ଯ୍ୟକାରିଣୀ କମିଟ ସଦସ୍ୟ ଓ ୨୭ଜଣିଆ ମିଡିଆ ବିଭାଗ ସଦସ୍ୟ ରହିଛନ୍ତି । ସେପଟେ କିନ୍ତୁ କମିଟି ଜାରି ହେଉ ହେଉ ବାହାରିଛି କଂଗ୍ରେସର ପୁରୁଣା ରୋଗ। ନବ ଗଠିତ ପିସିସି କମିଟିକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।

ତାରାଙ୍କୁ ନବ ଗଠିତ ପିସିସି କମିଟିରେ ବରିଷ୍ଠ ଉପସଭାପତି ଦାୟିତ୍ବ ଦିଆଯାଇଛି। ଯାହାକୁ ନେଇ ସେ କହିଛନ୍ତି ମୋତେ ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ କାଫି। ମୋର ଭାଇସ୍‌ ପ୍ରେସିଡେଣ୍ଟ୍‌ ପଦବୀ କ’ଣ ହେବ? ହେଲେ ମୁଁ ଏ ପଦବୀରେ ରହିବି ନାହିଁ, ଏ କମିଟିରୁ ମୁଁ ଇସ୍ତଫା ଦେଇଦେବି, ଖାଲି କିଏ ଖରାପ ଭାବିବ ବୋଲି ଏବେ ଯାଏଁ ଦେଇନାହିଁ। କାହା ଦୟାରେ ମୋର ପଦବୀ ନେବାର ନାହିଁ। ତଥାପି ମୋତେ ବରିଷ୍ଠ ଭାଇସ୍‌ ପ୍ରେସିଡେଣ୍ଟ ପଦବୀ ଦେଇଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚେଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ତାରା ବାହିନୀପତି କହିଛନ୍ତି।

ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଛନ୍ତି ଯେ, ମୋ ନିଜ ଉପରେ ମୋର ବିଶ୍ୱାସ ଅଛି। କୋରାପୁଟ ଓ ଜୟପୁର ଲୋକଙ୍କ ଆଶୀର୍ବାଦରେ ୪ ଥର ବିଧାୟକ ହେଲି। ମୁଁ କ’ଣ ପ୍ରଧାନମନ୍ତ୍ରୀ ହେବି କି? ତେଣୁ କମିଟିରେ ରହିବାରେ ବିଶ୍ୱାସ କରେନାହିଁ। ଏହି କମିଟିରେ ରହିବାର ଇଚ୍ଛା ନାହିଁ। ମୁଁ କୋଭିଡ୍‌ରୁ ଉଠିଛି। ନିଜ ନିର୍ବାଚନମଣ୍ଡଳୀରେ ବୁଲିବା କଷ୍ଟ ହେଉଛି। ତେଣୁ କୌଣସି ପଦ ପଦବୀରେ ରହିବାର ଆବଶ୍ୟକତା ନାହିଁ। ମୁଁ କୌଣସି ପଦ ପଦବୀରେ ରହିବାକୁ ଚାହୁଁ ନାହିଁ। ମାନସିକ ଭାବେ ସ୍ଥିର କରିଛି। କମିଟିରେ ରହିଲେ ଯେଉଁଠୁ ଡାକରା ଆସିଲେ ଯିବାକୁ ପଡ଼ିବ। ନଗଲେ ଅସୁବିଧା ହେବ। ପଦରେ ରହି କାମ ନକଲେ ଅସୁନ୍ଦର ଲାଗିବ ବୋଲି ତାରା କହିଛନ୍ତି। ମୁଁ କେବଳ ନିଜ ଅଞ୍ଚଳର ଲୋକଙ୍କ ପାଇଁ କାମ କରିବି। ସେମାନେ ମୋ ଉପରେ ଭରସା କରି ଭୋଟ ଦେଇଛନ୍ତି। ସେମାନଙ୍କ କାମ ପ୍ରଥମେ କରିବା ମୋ ଦାୟିତ୍ବ ବୋଲି ତାରା କହିଛନ୍ତି।

ସେପଟେ କଂଗ୍ରେସର ନୂଆ ଟିମକୁ ନେଇ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି ବହୁତ୍ ଦିନ ପରେ ମତେ କଂଗ୍ରେସ ଖୋଜିଛି । ନୂଆ ଟିମରେ ମତେ ସାମିଲ କରା ଯାଇଛି। ସେଥିପାଇଁ ମୁଁ ଖୁସି । ତାରା ବାହିନୀପତି ପିସିସି ସଭାପତି ହେବା ପାଇଁ ଯୋଗ୍ୟ । ତେଣୁ ସେ ବରିଷ୍ଠ ଉପ ସଭାପତି ଦାୟିତ୍ବରେ ଅଛନ୍ତି । ପିସିସି ସଭାପତିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି ।

ଅନ୍ୟପଟେ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ସବୁ ବର୍ଗକୁ ନଜରରେ ରଖି ପିସିସି ସଭାପତି ନୂଆ ଟିମ୍ କରିଛନ୍ତି । ଦଳ ଯେଉଁ ୯ରୁ ୯୦ଟାର୍ଗେଟ ରଖିଛି ସେଥିପାଇଁ ଏ ଟିମ୍ କାମ କରିବ । ସେପଟେ କଂଗ୍ରେସ ନୂଆ ଟିମ୍ ନେଇ ବିଧାୟକ ଅଧିରାଜ ପ୍ରାଣୀଗ୍ରାହି କହିଛନ୍ତି ନୂଆ କମିଟି ହେଲେ କିଛି ଲୋକ ସନୁଷ୍ଟ ହେବେ ଆଉ କିଛି ଅସନ୍ତୋଷ ପ୍ରକାଶ କରିବେ କିନ୍ତୁ ଏହାର କିଛି ପ୍ରଭାବ ପଡ଼ିବନି।

Related Posts