ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି ମଇଦାନରେ ରାଜନୈତିକ ପାରା ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଚାରରେ କମ୍ପୁଛି କର୍ଣ୍ଣାଟକ । ଏହାରି ଭିତରେ ଆଜି କର୍ଣ୍ଣାଟକ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବାଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡ଼ିଓ କନଫରେନ୍ସ ଜରିଆରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଲୋକଙ୍କୁ ବୁଥ୍ ନିକଟକୁ ଆଣିବା ସହ ସରକାରଙ୍କ କାର୍ଯ୍ୟ ବିଷୟରେ ସେମାନଙ୍କୁ ଜଣାଇବାକୁ ହେବ । କର୍ଣ୍ଣାଟକରେ ଲୋକତନ୍ତ୍ର ଉତ୍ସବ ଚାଲିଛି । ବିଜେପି ସର୍ବଦା ନିର୍ବାଚନକୁ ଲୋକତନ୍ତ୍ରର ଉତ୍ସବ ଭାବେ ପାଳନ କରିଛି । ତୁମ ଉପରେ ଡବଲ ଦାୟିତ୍ବ ରହିଛି ମୋତେ ବିଶ୍ବାସ ଅଛି ପ୍ରତି ବୁଥ ପ୍ରତି ତୁମର ପ୍ରୟାସ କର୍ଣ୍ଣାଟକରେ ବିଜେପିକୁ ରେକର୍ଡ ସଂଖ୍ୟାକ ଭୋଟରେ ବିଜୟୀ କରାଇବ । ଯେବେ ବୁଥ୍ ବିଜୟୀ ହୋଇଥାଏ ନିର୍ବାଚନରେ ବିଜୟ ନିଶ୍ଚିନ୍ତ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ଜଣେ ବୁଥ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ବୁଥ୍କୁ ଜିତିବାକୁ ହେଲେ ୧୦ ଜଣ ପୁରୁଷ ଓ ୧୦ ଜଣ କର୍ମଠ ମହିଳାଙ୍କୁ ନେଇ ମଜଭୁତ ଟିମ୍ ଗଠନ କର । କର୍ଣ୍ଣାଟକର ଉଜ୍ବଳ ଭବିଷ୍ୟତ ପାଇଁ ଭାଜପାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର କିପରି କାର୍ଯ୍ୟ କରୁଛନ୍ତି ତାର ଏକ ଡାଏରୀ ସାଥିରେ ରଖ । ଗରିବ, ଦଳିତ, ମହିଳା, କିଷାନ ଓ ଯୁବଗୋଷ୍ଠୀଙ୍କ ପାଇଁ ସରକାର କି କାର୍ଯ୍ୟ କରୁଛନ୍ତି ତାର ସମସ୍ତ ସୂଚନା ତୁମ ପାଖରେ ରହିବା ଆବଶ୍ୟକ । ମହିଳା ଓ ପୁରୁଷଙ୍କୁ ଦଳ ଗଠନ କରି ସେମାନଙ୍କୁ ପ୍ରତି ପରିବାରଙ୍କ ପାଖକୁ ପଠାଅ ଗୁରୁଜନଙ୍କ ଆର୍ଶୀବାଦ ନିଅ । ଗୋଟିଏ ପରିବାର ସହ ଘଣ୍ଟାଏ ସମୟ ବିତାଅ ବହୁତ ଫାଇଦା ହେବ । ବୁଥ ସହ ଜଡିତ ପରିବାକକୁ ଜିତିଲେ ହିଁ ବୁଥ ଜିତିବା ସମ୍ଭବ ହେବ । କର୍ଣ୍ଣାଟକବାସୀ ବିଜେପି ଉପରେ ବିଶ୍ବାସ ରଖିଛନ୍ତି । ଭଲ ପାଇବା ବର୍ଷା କରୁଛନ୍ତି । ଲୋକ ଜାଣିଛନ୍ତି ଆମେ କିପରି ଦ୍ରୁତ ଗତିରେ ଦେଶର ଅର୍ଥନୀତି ବ୍ୟବସ୍ଥାକୁ ସୁଧାର ଆଣିଛୁ ।”
ବିଜେପି ବିକଶିତ ଭାରତ ରୋଡ୍ ମ୍ୟାପ ଉପରେ କାର୍ଯ୍ୟ କରୁଛି । ଆଗାମୀ ୨୫ ବର୍ଷରେ କର୍ଣ୍ଣାଟକ ଉଜ୍ବଳ ଭବିଷ୍ୟତ ନେଇ ବିଜେପି ଏକ ଯୁବ ଟିମ୍ ଗଠନ କରୁଛି । ଲମ୍ବା ସମୟ ଧରି କର୍ଣ୍ଣାଟକରେ ବିଜେପି ଜନାଦେଶ ରହିଛି । ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ବିକାଶର ଡବଲ ଗତି । ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି ସେଠାରେ ଗରିବ କଲ୍ୟାଣ ଯୋଜନା ଦ୍ରୁତ ଗତିରେ ହୋଇଛି । ଯେଉଁ ରାଜ୍ୟରେ ଭଜପା ସରକାର ନାହିଁ ସେଠାରେ ମୋଦିଙ୍କ ଜୟ ଜୟକାର ନେଇ ଭୟଭୀତ ଅଛନ୍ତି । ଗତ 9 ବର୍ଷ ନିବେଶର କେନ୍ଦ୍ରସ୍ଥଳ ହୋଇଛି ଭାରତ । ଆମ ସରକାର ସର୍ବଦା ଆଗାମୀ ଭବିଷ୍ୟତ ପିଢି କଥା ଚିନ୍ତା କରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, କଂଗ୍ରେସ ଦୁର୍ନୀତିମୁକ୍ତ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ କାରଣ ସେ ହିଁ ଦୁର୍ନୀତିର ମୂଳ । ୨୦୧୪ ପରେ ଦେଶ ଦେଖିଛି କେତେ ଦ୍ରୁତ ଗତିରେ ଦୁର୍ନୀତି ମୂଳପୋଛ ହୋଇଛି । ବିରୋଧୀଙ୍କ ଏଜେଣ୍ଡା ହେଉଛି ପଦ ହାତେଇବା ମାତ୍ର ଆମ ଏଜେଣ୍ଡା ଆଗାମୀ ୨୫ ବର୍ଷରେ ଦେଶକୁ ବିକଶିତ କରିବା । ଦେଶକୁ ଗରିବୀମୁକ୍ତ କରିବା । କଂଗ୍ରେସ ମାନେ ମିଥ୍ୟା ଗ୍ୟାରେଣ୍ଟି । କଂଗ୍ରେସର ଅର୍ଥ ଦେଉଛି ଦୁର୍ନୀତି ଓ ମିଥ୍ୟା । କଂଗ୍ରେସ ଏପିରି ସ୍ଥିତିରେ ଅଛି ସେ ଆଉ ଗ୍ୟାରେଣ୍ଟି ଦେଇ ପାରିବ ନାହିଁ । ତାର ୱାରେଣ୍ଟି ଶେଷ ହୋଇଛି । ଯାହାର ୱାରେଣ୍ଟି ନାହିଁ ସେ ଆଉ କି ଗ୍ୟାରେଣ୍ଟି ଦେବ ? ହିମାଚଳବାସୀ ଆଜି ଯାଏଁ କଂଗ୍ରେସ ଗ୍ୟାରେଣ୍ଟି ପୁରଣ ହେବାକୁ ଅପକ୍ଷା କରିଛନ୍ତି । ରାଜସ୍ଥାନବାସୀ ମଧ୍ୟ କଂଗ୍ରେସର ଗ୍ୟାରେଣ୍ଟି ଉପରେ ଆନ୍ଦୋଳନ କରୁଛନ୍ତି ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୨୪ ବିଧାନସଭା ଆସନରେ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଯାଉଛି । ମଇ ୧୦ ତାରିଖରେ ଭୋଟ ଗ୍ରହଣ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଆସନ୍ତା ୨୯ ତାରିଖରେ କର୍ଣ୍ଣାଟକ ଗସ୍ତ କରି ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ।





