ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ଦେଶର ଅନେକ କୁସ୍ତିଯୋଦ୍ଧା। ସେପଟେ ଏହି ଆନ୍ଦୋଳନ ପ୍ରତି ଦେଶର କୋଣ ଅନୁକୋଣରୁ ଧିରେ ଧିରେ ସମର୍ଥନ ବଢିବାରେ ଲାଗିଛି। ଶନିବାର ସକାଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କୁସ୍ତିଯୋଦ୍ଧାମାନଙ୍କୁ ଭେଟି ନିଜ ସମର୍ଥନ ଜଣାଇଥିବା ବେଳେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ମଧ୍ୟ ଧାରଣାରତ ରେସଲରଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ସେ ଜନ୍ତର ମନ୍ତର ଯାଇ ରେସଲରଙ୍କୁ ଭେଟିଛନ୍ତି ଏବଂ ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିକୁ ଫାଶୀ ଦେବା ଉଚିତ୍ ବୋଲି କହିଛନ୍ତି।
କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଦେଶକୁ ଗୌରବାନ୍ଵିତ କରିଥିବା ରେସଲରମାନେ ଗତ ସପ୍ତାହେ ହେବ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି। ସେମାନଙ୍କୁ ଅପମାନିତ କରାଯାଇଛି। ମହିଳାଙ୍କୁ ଉତ୍ପୀଡନ କରୁଥିବା ଲୋକଙ୍କୁ ଫାଶି ଦେବା ଉଚିତ୍ ବୋଲି ମହିଳା କୁସ୍ତିଯୋଦ୍ଧାଙ୍କୁ ଭେଟିବା ପରେ କେଜ୍ରିଓ୍ଵାଲ୍ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଆମ ଦେଶର ରେସଲରମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡିଲା। ଏହାସହିତ ଦେଶବାସୀଙ୍କୁ ଅନୁରୋଧ କରି ରେସଲରଙ୍କ ସମର୍ଥନରେ ଆଗକୁ ଆସନ୍ତୁ ବୋଲି କେଜ୍ରିଓ୍ଵାଲ୍ କହିଛନ୍ତି। ଆନ୍ନା ହଜାରେ ଏହି ଜନ୍ତର ମନ୍ତର ରୁ ଦେଶର ରାଜନୀତି ବଦଳାଇ ଦେଇଥିଲେ। ଠିକ୍ ସେହିଭଳି ଏହି ପ୍ରଦର୍ଶନ କ୍ରୀଡାରେ ପରିବର୍ତ୍ତନ ଆଣିବ। ଯେଉଁ ଲୋକ ଭାରତକୁ ଭଲ ପାଆନ୍ତି, ସେମାନେ ଏହି ଲଢେଇରେ ସାମିଲ୍ ହୁଅନ୍ତୁ ବୋଲି କେଜ୍ରିଓ୍ଵାଲ୍ କହିଛନ୍ତି।
ଅନ୍ୟପକ୍ଷେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ କହିଛନ୍ତି। ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର, ସମସ୍ତ ପ୍ରକାରର ତଦନ୍ତରେ ସହଯୋଗ କରିବି। ମୋ ବିରୋଧରେ ରେସଲରମାନେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ କେବେ ବି କୌଣସି କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହେବି ନାହିଁ ବୋଲି ବ୍ରିଜଭୂଷଣ କହିଛନ୍ତି।





