ସମ୍ବଲପୁର ହିଂସାକାଣ୍ଡ ଘଟଣା; ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ‌ଭଙ୍ଗ ‌ନୋଟିସ ଦେଲେ ୩ ସାଂସଦ

ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବିରୋଧରେ ସ୍ବାଧିକାର ‌ଭଙ୍ଗ ‌ନୋଟିସ ଦେଇଛନ୍ତି ତିନି ଜଣ ଲୋକସଭା ସାଂସଦ। ହନୁମାନ ଜୟନ୍ତୀ ସମ୍ବଲପୁର ହିଂସା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଗତ ଏପ୍ରିଲ ୧୮ରେ ଝାରସୁଗୁଡ଼ା ପଟୁ ଆସୁଥିବା ବିଜେପି ପ୍ରତିନିଧି ଦଳକୁ ସମ୍ବଲପୁର ଜିଲ୍ଲା ସୀମାକୁ ପଶିବାକୁ ନ‌ଦେବା ଏବଂ ଦିନସାରା ଠେଲ୍‌କୋ‌ଲୋଇ ଥାନାରେ ଅଟକ ରଖିବା ଘଟଣାରେ ଦୁଇଟି ସ୍ବାଧିକାର ଭଙ୍ଗ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି।

ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମିଳିତ ଭାବେ ଗୋଟିଏ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବା ବେଳେ ଅନ୍ୟଟି କେବଳ ସାଂସଦ ସୁରେଶ ପୂଜାରୀ ଏକାକୀ ଦେଇଛନ୍ତି। ସାଂସଦମାନେ ସେଦିନର ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ଲୋକସଭା ବାଚସ୍ପତିଙ୍କୁ ସ୍ବାଧିକାର ଭଙ୍ଗ ହୋଇଥିବା ସଂକ୍ରାନ୍ତରେ ଲେଖିଛନ୍ତି।

ସାଂସଦ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ, ୧୮ ତାରିଖ ସକାଳୁ ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ବାସଭବନରେ ତାଙ୍କୁ ବେଆଇନ ଭାବେ ‘ଗୃହବନ୍ଦୀ’ କରାଯାଇଥିଲା। ତାଙ୍କୁ ଘରୁ ବାହାରିବାକୁ ଦିଆଯାଇନଥିଲା। ଘର ଚାରିପଟେ ପୁଲିସ କର୍ମଚାରୀମାନେ ଘେରି ରହିଥିଲେ। ଅନ୍ୟପଟେ ଝାରସୁଗୁଡ଼ା ପଟୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ସେମାନେ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ହନୁମାନ ଜୟନ୍ତୀ ସମନ୍ବୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କୁ ଭେଟିବା ଏବଂ ଆର୍‌ଡିସିଙ୍କ ସହିତ ଆଲୋଚନା କରିବାକୁ ଯାଉଥିଲେ। ସେହି ସମୟରେ ଠେଲ୍‌କୋଲୋଇ ନିକଟରେ ସେମାନଙ୍କୁ ବେଆଇନ ଭାବେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିବା ସଂପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଯେଉଁ ସମୟରେ କର୍ଫ୍ୟୁ କଟକଣା କୋହଳ କରାଯାଇଥିଲା, ସେହି ସମୟରେ ସେମାନେ ଆସୁଥିବାବେଳେ ସେମାନଙ୍କୁ ପୋଲିସ ଅଟକ ରଖିବା ଦ୍ଵାରା ସ୍ୱାଧିକାର ଭଙ୍ଗ ହୋଇଥିବା ସେ ଦର୍ଶାଇଛନ୍ତି ।

Related Posts